କରୋନା କାଳ ଭିତରେ ସାଇଲେଣ୍ଟ କିଲର ସାଜିଛି ଟିବି, ପ୍ରତିଦିନ ୧୪୦୦ ଲୋକଙ୍କ ମୁଣ୍ଡ ନେଉଛି ଯକ୍ଷ୍ମା

ସାରା ବିଶ୍ୱ କରୋନା ସଂକ୍ରମଣ ବିରୋଧରେ ଜାରି ରଖିଛି ଲଢେଇ । କିନ୍ତୁ ସଂକ୍ରମଣ ରୋକିବାରେ ସେତେଟା ସଫଳତା ମିଳିପାରିନି । ଏହାରି ଭିତରେ ଆସିଛି ଏକ ସାଂଘାତିକ ତଥ୍ୟ । ସାଇଲେଣ୍ଟ କିଲର ସାଜି ଜଣକ ପରେ ଜଣଙ୍କ ମୁଣ୍ଡ ନେଉଛି ଯକ୍ଷ୍ମା । ସାଇଲେଣ୍ଟ କିଲର ଯକ୍ଷ୍ମାରେ ବର୍ଷକରେ ଗଲାଣି ୭୯ ହଜାର ଜୀବନ ।

କରୋନା ଆତଙ୍କ ଭିତରେ ଯକ୍ଷ୍ମାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆସିଥିବା ରିପୋର୍ଟ ଆପଣଙ୍କ ନିଦ ହଜାଇ ଦେବ । ପ୍ରତିଦିନ ୧୪୦୦ ଲୋକଙ୍କ ମୁଣ୍ଡ ନେଉଛି ଯକ୍ଷ୍ମା । ବଢିଚାଲିଛି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା । ୨୦୧୯ ରିପୋର୍ଟ ଅନୁଯାୟୀ ଭାରତରେ ୨୪ ଲକ୍ଷ ଲୋକ ଯକ୍ଷ୍ମାରେ ଆକ୍ରାନ୍ତ । ୭୯ ହଜାର ଲୋକଙ୍କ ଜୀବନ ନେଇଛି ଯକ୍ଷ୍ମା । ବର୍ତ୍ତମାନ ସମୟରେ ଯକ୍ଷ୍ମା ଆକ୍ରାନ୍ତ ଲୋକ ସଜାଗ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଓଡିଶାରେ ବି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୧୮ରେ ୫୦୩୦୩ ଜଣ ଯକ୍ଷ୍ମାରେ ଆକ୍ରାନ୍ତ ଥିବାବେଳେ ୨୦୧୯ରେ ଏହି ସଂଖ୍ୟା ବଢି ୫୩ ହଜାର ୬୧୨ରେ ପହଁଚିଛି । ୨୦୧୮ରେ ୩୪ ହଜାର ୧୫୭ ପୁରୁଷ , ୧୬ ହଜାର ୯୨ ଜଣ ମହିଳା ଓ ୨୩୫୧ ଶିଶୁ ଓ ୫୪ ଜଣ ଟ୍ରାନ୍ସଜେଣ୍ଡର ଆକ୍ରାନ୍ତ ହୋଇଥିଲେ ।

୨୦୧୯ରେ ପୁରୁଷ ରୋଗୀଙ୍କ ସଂଖ୍ୟା ୩୫ ହଜାର ୭୫୭, ମହିଳା ୧୭ ହଜାର ୭୯୨, ଶିଶୁ ୨୪୫୦ଓ ୬୩ ଜଣ ଟ୍ରାନ୍ସଜେଣ୍ଡର ଆକ୍ରାନ୍ତ ହୋଇଅଛନ୍ତି । ଚିହ୍ନଟ ପ୍ରକ୍ରିୟା ବଢିଥିବାରୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ବୋଲି ବିଶେଷଜ୍ଞ କହିଛନ୍ତି ।

ଅନ୍ୟପଟେ ଏହି ଦିଗରେ ଅନେକ କାମ କରିବାର ଆବଶ୍ୟକତା ଅଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ସେପଟେ ୨୦୨୫ ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଟାର୍ଗେଟ ରଖିଛନ୍ତି  ।

Leave a Reply