୧୪ ପ୍ରତିଶତ ବୃଦ୍ଧି ପାଇଛି ରାଜ୍ୟର ଟିକସ ଓ ଅଣଟିକସ ରାଜସ୍ବ ସଂଗ୍ରହ

1 min read

ଭୁବନେଶ୍ବର: ଓଡ଼ିଶାରେ ରାଜସ୍ବ ସଂଗ୍ରହରେ ବୃଦ୍ଧି । ଗତବର୍ଷ ତୁଳନାରେ ଏଥର ଅକ୍ଟୋବର ସୁଦ୍ଧା ରାଜ୍ୟର ଟିକସ ଓ ଅଣଟିକସ ରାଜସ୍ବ ସଂଗ୍ରହରେ ୧୪ ପ୍ରତିଶତ ବୃଦ୍ଧି ହୋଇଛି । ଗତବର୍ଷ ଅକ୍ଟୋବର ସୁଦ୍ଧା ଟିକସ ଓ ଅଣଟିକସ କ୍ଷେତ୍ରରୁ ୫୦ହଜାର ୩୪୫ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ଚଳିତବର୍ଷ ୫୭ ହଜାର ୩୨୩ କୋଟି ଟଙ୍କା ସଂଗ୍ରହ ହୋଇଛି । ଖଣି ରାଜସ୍ବ ସହ ଗାଡ଼ି ଟିକସ, ବାଣିଜ୍ୟ କର, ବୃତ୍ତିଗତ ଟିକସ, ବିଦ୍ୟୁତ ଶୁଳ୍କ, ସବୁଥିରେ ଗତଥର ଅପେକ୍ଷା ଏଥର ରାଜସ୍ବ ବୃଦ୍ଧି ହେବା ରାଜ୍ୟର ଆର୍ଥିକ ପ୍ରଗତିକୁ ଦର୍ଶାଉଛି ।

ଅକ୍ଟୋବର ଶେଷ ସୁଦ୍ଧା ବଜେଟରେ ରାଜସ୍ବ ସଂଗ୍ରହ ଟାର୍ଗେଟର ୫୪ ପ୍ରତିଶତ ସଂଗ୍ରହ ହୋଇଛି । ଖଣି ଓ ଧାତବ ଶିଳ୍ପରୁ ଗତବର୍ଷ ୨୨ ହଜାର ୬୭୦ କୋଟି ୮୧ ଲକ୍ଷ ସଂଗ୍ରହ ହୋଇଥିବା ବେଳେ ଏଥର ୨୪ ହଜାର ୨୬୭ କୋଟି ୫୫ ଲକ୍ଷ ଆଦାୟ ହୋଇଛି । ଅଣଟିକସ କ୍ଷେତ୍ରରେ ୨୫ ହଜାର ୫୧୯ କୋଟି ୭୩ ଲକ୍ଷ ଗତବର୍ଷ ସଂଗ୍ରହ ହୋଇଥିବା ବେଳେ ଏଥର ତାହା ୨୯ ହଜାର ୨୫୯ କୋଟି ୭୭ ଲକ୍ଷରେ ପହଞ୍ଚିଛି । ଟିକସ କ୍ଷେତ୍ରରୁ ଗତବର୍ଷ ଅକ୍ଟୋବର ସୁଦ୍ଧା ୨୪ ହଜାର ୮୨୫ କୋଟି ସଂଗ୍ରହ ହୋଇଥିବା ବେଳେ ଏଥର ୨୮ ହଜାର ୬୩ କୋଟି ୬୪ ଲକ୍ଷ ଆଦାୟ ହୋଇଛି । ବାଣିଜ୍ୟିକ ଟିକସ ସଂଗ୍ରହ ୧୬ ହଜାର ୪୫୭ କୋଟିରୁ ୧୮ ହଜାର ୪୫୫ କୋଟିକୁ ବୃଦ୍ଧି ପାଇଛି । ଗାଡ଼ି ଟିକସ ୬୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବିଦ୍ୟୁତ ଶୁଳ୍କ ବି ୧୪ ପ୍ରତିଶତ ବଢିଛି ।

ଅର୍ଥ ବିଭାଗର ଲଗାତାର ମନିଟରିଂ, ଅନ୍ୟ ବିଭାଗର ତତ୍ପରତା ଯୋଗୁଁ ଟିକସ ଓ ଅଣଟିକସ କ୍ଷେତ୍ରରୁ ରାଜସ୍ବ ସଂଗ୍ରହ ଗତବର୍ଷ ଅପେକ୍ଷା ବୃଦ୍ଧି ପାଇବା ସ୍ବାଗତ ଯୋଗ୍ୟ ବୋଲି ବିଶେଷଜ୍ଞ କହିଛନ୍ତି । ଏହାଦ୍ବାରା ଜନକଲ୍ୟାଣ ଯୋଜନା ଲୋକଙ୍କ ପାଖରେ ଶୀଘ୍ର ପହଞ୍ଚାଇବା ପାଇଁ ସରକାରଙ୍କୁ ସୁବିଧା ହେବ । ରାଜସ୍ବ ବଢୁଛି, ଖର୍ଚ୍ଚ ବି ବଢୁଛି ଏବଂ ଏହା ସାଙ୍ଗରେ ତାଳ ଦେଇ ଯୋଜନା ବି ବଢି ଚାଲିଛି । ରାସ୍ତାଘାଟ, ସେତୁ, ଏକ୍ସପ୍ରେସ ଓ୍ବେ ଭଳି ଭିତ୍ତିଭୂମି କ୍ଷେତ୍ରରେ ସରକାର ଅଧିକ ଫୋକସ କରିଥିବା ବେଳେ କ୍ରୀଡ଼ା, ଆଇଟି ଶିଳ୍ପର ଅଭିବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ସରକାରଙ୍କ 5T ନୀତିରେ ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି ।

ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ଉତ୍ସରୁ ୯୦ ହଜାର ୫୫୯ କୋଟି ୬୯ ଲକ୍ଷ ରାଜସ୍ୱ ସଂଗ୍ରହ ହୋଇଛି । ଯାହାକି ଗତବର୍ଷ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ୭୭ ହଜାର ୪୩ କୋଟି ତୁଳନାରେ ୧୭.୫୪ ପ୍ରତିଶତ ଅଧିକ ।