ରାଜିବ ଗାନ୍ଧି ଫାଉଣ୍ଡେସନକୁ ଚୀନ୍ ଦୂତାବାସ ଦେଇଥିଲା ୧.୩୫ କୋଟି ଟଙ୍କା: ଅମିତ ଶାହ

1 min read

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟର ପାଖରେ ଭାରତ-ଚୀନ୍ ସୀମା ସଂଘର୍ଷ ପରେ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଘଟଣାକୁ ୩ ଦିନ ପର୍ଯ୍ୟନ୍ତ ଲୁଚାଇବାର ଆରୋପ ମଧ୍ୟ ଲଗାଇଛନ୍ତି ବିରୋଧୀ । ସେହିପରି କଂଗ୍ରେସ ମଧ୍ୟ କହିଛି ଯେ ପ୍ରଧାନମନ୍ତ୍ରୀଙ୍କୁ ଏହା ଉପରେ ଖୋଲାଖୋଲି ଚର୍ଚ୍ଚା କରିବା ଆବଶ୍ୟକ । ସଂସଦରେ ମଧ୍ୟ ଏହା ଉପରେ ଆଲୋଚନା ପାଇଁ କଂଗ୍ରେସ ଅଡ଼ି ବସିଥିଲାଯ । ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ପାଲଟା ଜବାବ ଦେଇଛନ୍ତି ।

ଚୀନ୍ ଦୂତାବାସ ୧.୩୫ କୋଟି ଟଙ୍କା ରାଜିବ ଗାନ୍ଧି ଫାଉଣ୍ଡେସନକୁ ଦେଇଥିବା ଅଭିଯୋଗ କରିଛନ୍ତି ଗୃହମନ୍ତ୍ରୀ ଶ୍ରୀ ଶାହ । ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ଚର୍ଚ୍ଚାର ଦାବିକୁ ନେଇ କଂଗ୍ରେସ ଉପରେ ଟାର୍ଗେଟ କରିଥିଲେ । ସଂସଦ ଭବନ ବାହାରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶାହ କହିଥିଲେ, ରାଜିବ ଗାନ୍ଧି ଫାଉଣ୍ଡେସନର ଏଫସିଆରଏ ବିଦେଶୀ ଯୋଗଦାନ ଅଧିନିୟମକୁ ରଦ୍ଦ କରିବାର ପ୍ରଶ୍ନରୁ ବଞ୍ଚିବା ପାଇଁ କଂଗ୍ରେସ ସଂସଦରେ ସୀମା ସଂଘର୍ଷର ପ୍ରସଙ୍ଗ ଉଠାଇଛି ।

ଅମିତ ଶାହ ଆରୋପ ଲଗାଇ କହିଥିଲେ, ରାଜିବ ଗାନ୍ଧି ଫାଉଣ୍ଡେସନ (ଆରଜିଏଫ)କୁ ଚୀନ୍ ଦୂତାବାସରୁ ୧.୩୫ କୋଟି ଟଙ୍କା ମିଳିଥିଲା । ସେ ଆଗକୁ କହିଥିଲେ ଯେ, ଏହାର ପଞ୍ଜିକରଣ ଏଥିପାଇଁ ରଦ୍ଦ କରି ଦିଆଯାଇଥିଲା, କାରଣ ଏହା ଏଫସିଆରଏର ନିୟମ ମୁତାବିକ ନଥିଲା । ଏଥିସହିତ ଶାହ କହିଥିଲେ, ନେହେରୁଙ୍କ ଚୀନ୍ ପ୍ରେମ କାରଣରୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ଆସନର ବଳି ଦିଆଯାଇଥିଲା । ଶାହ ଭାରତୀୟ ସେନାର ପରାକ୍ରମକୁ ପ୍ରଶଂସା କରିଛନ୍ତି । କହିଥିଲେ ଯେ ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହେଁ ଯେ ଯେପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର କ୍ଷମତାରେ ଅଛି, କେହି ବି ଆମର ଏକ ଇଞ୍ଚ ଜମି ଉପରେ କବଜା କରିପାରିବ ନାହିଁ ।