ପାଠକ ଆଣ୍ଡ ସନ୍‌ର କଳା ସାମ୍ରାଜ୍ୟକୁ ଭେଦିଲା ଏସ୍‌ଆଇଟି: ସତ ଓଗାଳିଲେ ବାପ-ପୁଅ

1 min read

ଭୁବନେଶ୍ୱର: ୩ ଦନିଆ ରିମାଣ୍ଡରେ ସବୁ ଓଗାଳି ଦେଇଛନ୍ତି ବାପପୁଅ । ତେଣୁ ଆଉ ରିମାଣ୍ଡ ଦରକାର ନାହିଁ ବୋଲି ସ୍ପଷ୍ଟ କରିଛି  ଭିଜିଲାନ୍ସ । ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଜେରା ବେଳେ ଏସ୍‌ଆଇଟିକୁ ମିଳିଛି ବହୁ ବିସ୍ଫୋରକ ତଥ୍ୟ । ସଫାସଫା କହିଛି, ଆକାଶ କେବେ ବି ନଥିଲା ଟାଟା ମୋଟର୍ସର ଏମ୍‌ଡି । ପାଠକ କଳା ସାମ୍ରାଜ୍ୟ ଲିଙ୍କ୍‌ ନେଇ ତଦନ୍ତ ଜାରି ରଖିଛି ଟିମ । ରିମାଣ୍ଡରେ ସରିବା ପରେ ଉଭୟଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।

ପାଠକ ଆଣ୍ଡ ସନ୍‌ର କଳା ସାମ୍ରାଜ୍ୟକୁ ଭେଦିଲା ଏସ୍‌ଆଇଟି ।  ଆକାଶ ଥିଲା ଟାଟା କମ୍ପାନୀରେ ଫେକ୍ ଏମ୍‌ଡି । ସ୍ପଷ୍ଟ କଲା ଭିଜିଲାନ୍ସ ଏସ୍‌ଆଇଟି । କୌଣସି ପଦପଦବୀରେ ନଥାଇ ଜାଲ୍ ନିଯୁକ୍ତିର ଜାଲ ବିଛାଇ ଲକ୍ଷାଧିକ ଟଙ୍କା ଚୂନ ଲଗାଇଛି ଆକାଶ । ଅଭୟ ପାଠକ ଯେଉଁ ସବୁ ଜାଗାରେ ଚାକିରି କରିଥିଲେ, ସେସବୁ ଜାଗାରେ ଏବେ ବି ଛାନଭିନ ଜାରି ରଖିଛି ଏସ୍ଆଇଟି । ଅଭୟଙ୍କ ଜ୍ବାଇଁ ଘର ବିହାରର ପାଟଣାରେ ମଧ୍ୟ ଟିମ ତଦନ୍ତ କରୁଛି । ତେବେ ଫୋକସରେ ରହିଛି ୩ବର୍ଷରେ ବନିକରଣ ପାଇଁ ଖର୍ଚ୍ଚ ହୋଇଥିବା ୬ଶହ କୋଟି ଟଙ୍କା । ସ୍କାନର୍‌ରେ ଅନେକ ଡିଏଫଓ, ଏସିଏଫ ଓ ରେଞ୍ଜର ।

ସେପଟେ ଆକାଶଙ୍କ ଚାକିରି ନେଇ ଟାଟା କଂପାନୀ ପୁଣି ସ୍ପଷ୍ଟୀକରଣ ଦେଇଛି । ସ୍କାଏ କିଙ୍ଗ ଠାରୁ ଚାଟର ଫ୍ଲାଇଟ ବୁକିଂ ସମୟରେ ଆକାଶ ନିଜକୁ ଟାଟା କଂପାନୀର କର୍ମଚାରୀ ବୋଲି ପରିଚୟ ଦେଇଥିବା ଅଭିଯୋଗ ହୋଇଥିଲା । ଏପରିକି ଫ୍ଲାଇଟ୍ ବୁକିଂ ପରେ ଜିଏସଟି ବାବଦ ଅର୍ଥ ଟାଟା କଂପାନୀକୁ ଯାଇଥିବା ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ ଏସବୁକୁ ଖଣ୍ଡନ କରିଛନ୍ତି ଟାଟା କର୍ତ୍ତୃପକ୍ଷ । ଏପରିକି ସ୍କାଏ କିଙ୍ଗ୍ ସଂସ୍ଥା ଟାଟାର ଭେଣ୍ଡର ନୁହେଁ ବୋଲି ମଧ୍ୟ ରୋକଠୋକ୍ ଜଣାଇଛନ୍ତି । ଆକାଶ ପାଠକ ଗିରଫ ହେବା ପରେ ସ୍କାଏ କିଙ୍ଗ୍ କର୍ତ୍ତୃପକ୍ଷ ଭୁବନେଶ୍ବର ଖାରବେଳନଗର ଥାନାରେ ଏତଲା ଦେଇଥିଲା । ଟାଟାର ଉତ୍ତର ନେଇ ସୂଚନା ଦେଇଛି କମିଶନରେଟ ପୋଲିସ ।  ଏତେସବୁ ପରେ ବି ବାପା-ପୁଅଙ୍କ ମୁହଁ ପୁଟାଣି ଭାଙ୍ଗିନି ।

କ୍ଷୀର କ୍ଷୀର ପାଣି ପାଣି ହୋଇଯାଇଛି । ଦୁଇ ଠକ ସର୍ଦ୍ଦାରଙ୍କ ପାଇଁ ଯୋଗାଡ଼ ହୋଇଯାଇଛି ତଥ୍ୟ ପ୍ରମାଣ । ତେଣୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡର ଆବଶ୍ୟକତା ନଥିବା କହିଛି ଏସଆଇଟି । ସେପଟେ ପାଠକ ବାସଭବବନର ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛି ଭିଜିଲାନସ । ରିମାଣ୍ଡରୁ ମିଳିଥିବା ପ୍ରମାଣକୁ ନେଇ ଭିଜିଲାନସ କି ରଣନୀତି ପ୍ରସ୍ତୁତ କରୁଛି, ତା ଉପରେ ସମସ୍ତଙ୍କ ନଜର ।

Leave a Reply