ଆକାଶ’ରେ ଉଡ଼ି ବେକାରଙ୍କୁ ଦେଖାଉଥିଲେ ଜହ୍ନ, ଟାଟା ମୋଟର୍ସ ଅଧିକାରୀ କହି ଚାକିରି ପାଇଁ ଟଙ୍କା ନେଉଥିଲେ ପାଠକ ପୁଅ

ଭୁବନେଶ୍ୱର:  ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଭୟ କାନ୍ତଙ୍କ ପୁଅ ଆକାଶ ପାଠକଙ୍କ ନାମରେ ଠକେଇ, ଜାଲିଆତିର ଅଭିଯୋଗରେ ଟାଟା ମୋଟର୍ସ ପକ୍ଷରୁ ଏତଲା ଦାଏର ହୋଇଛି । ଟାଟା ମୋଟର୍ସର ଜେନରାଲ ମ୍ୟାନେଜର ତ୍ରିଲୋଚନ ମହାନ୍ତି ଏହି ଏତଲା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ପାଖରେ ଫେରାଦ ହୋଇଛି ଟାଟା ମୋଟର୍ସ । ନିଜକୁ ଟାଟା ମୋଟର୍ସର ପାସେଞ୍ଜର ଡିଭିଜନର ପରିଚାଳନା ନିର୍ଦ୍ଦେଶକ ଭାବେ ପରିଚୟ ଦେଇ ଠକେଉ ଜାଲିଆତିରେ ଲିପ୍ତ ଥିଲେ ବୋଲି ଏତଲାରେ କୁହାଯାଇଛି ।

ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଆକାଶ ଲୋକଙ୍କୁ ଠକୁଥିଲେ ବୋଲି ଅଭିଯୋଗରେ କୁହାଯାଇଛି । କମ୍ପାନୀ ତରଫରୁ ଦାଏର ଏଫଆଇଆରରେ କୁହାଯାଇଛି ଯେ, ଆକାଶ ଚାକିରି ଦେବାକୁ କହି ଲୋକଙ୍କୁ ଠକିଛନ୍ତି । ଯେଉଁଥିପାଇଁ ଟାଟା ମୋଟର୍ସ ବଦନାମ ହୋଇଛି ।

ମେ ୭ ତାରିଖ ୨୦୨୦ରେ ଟାଟା ମୋଟର୍ସ  ବିଜୟ କୁମାର ଝା ନାମକ ବ୍ୟକ୍ତିଙ୍କଠାରୁ ପାଇଥିବା ମେଲରୁ ଆକାଶଙ୍କ ଠକେଇ ବାବଦରେ କଂପାନୀ ସୂଚନା ପାଇଥିଲା । ବିଜୟ କଂପାନୀକୁ ଲେଖିଥିବା ମେଲରେ ଆକାଶ କୁମାର ପାଠକଙ୍କ ବାବଦରେ ଅଧିକ ତଥ୍ୟ ମାଗିଥିଲେ । ଆକାଶ ନିଜକୁ ଟାଟା ମୋଟର୍ସର ପୁନେ ଡିଭିଜନର ଏମଡି ଅଛନ୍ତି କି ନାହିଁ ତାହା ବିଜୟ ଜାଣିବାକୁ ଚାହିଁଥିଲେ । ନିଜକୁ ଏମଡି ବୋଲି ପରିଚୟ ଦେଇ ଆକାଶ ବେକାରଙ୍କ ଠାରୁ ଚାକିରି ପାଇଁ ବଡ ରକମ ନେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ ।

ଠକେଇ ପାଇଁ ଆକାଶ ଟାଟା ମୋଟର୍ସର ଜାଲ୍ ପରିଚୟ ପତ୍ର,ଲୋଗୋ ବ୍ୟବହାର କରୁଥିବା କଂପାନୀ ପକ୍ଷରୁ ଅଭିଯୋଗ କରାଯାଇଛି । ଏମିତିକି ସେ ଆକାଶ ଡଟ୍ ପାଠକ୍ ଆଟ୍ ଦ ରେଟ୍ ଟାଟା ମୋଟର୍ସ ନାମରେ ଗୋଟିଏ ଜାଲ ମେଲ୍ ଆଇଡି ମଧ୍ୟ କ୍ରିଏଟ୍ କରିଥିବା ଅଭିଯୋଗ ହୋଇଛି । ଏହି ଠକ ଏତିକିରେ ଅଟକି ନଥିଲେ । ସେ ଭିଜିଟିଂ କାର୍ଡରେ ମଧ୍ୟ ନିଜକୁ ଟାଟା ମୋଟର୍ସର ଅଧିକାରୀ ଭାବେ ଉଲ୍ଲେଖ କରିଥିଲେ । କଂପାନୀ ପକ୍ଷରୁ ସବୁ ଜାଲ ଦସ୍ତାବିଜର କପି କ୍ରାଇମବ୍ରାଂଚକୁ ଦିଆଯାଇଛି ।

ଆକାଶ ମଧ୍ୟ ଫେସବୁକ ଓ ଲିଙ୍କଡ୍ ଇନରେ ଫେକ୍ ପ୍ରୋଫାଇଲ ଖୋଲି ନିଜକୁ ଟାଟା ମୋଟର୍ସର ଅଧିକାରୀ ବୋଲି ପରିଚୟ ଦେଉଥିଲେ । ।

Leave a Reply