ଟାଟା ଇନ୍‌ଷ୍ଟିଚ୍ୟୁଟକୁ ବଡ଼ ସଫଳତା, କ୍ଯାନସର ଭଲ କରିବ ୧୦୦ ଟଙ୍କିଆ ବଟିକା

1 min read

ବ୍ୟୁରୋ ରିପୋର୍ଟ: କର୍କଟ ଚିକିତ୍ସାରେ ମୁମ୍ବାଇର ଟାଟା ଇନ୍‌ଷ୍ଟିଚ୍ୟୁଟକୁ ବଡ଼ ସଫଳତା। ଦ୍ବିତୀୟ ଥର ଯେପରି  ଏହି ରୋଗ ନହେବ ତାର ଚିକିତ୍ସା ଅନୁସନ୍ଧାନ କରିଥିବା ଦାବି କରାଯାଇଛି। ଏହି ପ୍ରତିଷ୍ଠାନର ଡାକ୍ତର ଏବଂ ଗବେଷକମାନେ ୧୦ ବର୍ଷ ପର୍ଯ୍ୟନ୍ତ ଗବେଷଣା କରି ଏକ ବଟିକା ପ୍ରସ୍ତୁତ କରିଛନ୍ତି। ଏହି ଔଷଧ ସେବନ କଲେ ଦ୍ବିତୀୟ ଥର କର୍କଟ ରୋଗ ହେବ ନାହିଁ। କେବଳ ସେତିକି ନୁହେଁ ଏହି ଔଷଧ,  ବିକିରଣ ଏବଂ କେମୋଥେରାପିର ଚିକିତ୍ସା ଜନିତ ପାର୍ଶ୍ବ ପ୍ରତିକ୍ରିୟାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଦେବ। ଆଗାମୀ ଦିନରେ ଏହି ଔଷଧ ସବୁଠି ଉପଲବ୍ଧ ହେବ। ଏହା ମାତ୍ର ୧୦୦ ଟଙ୍କାରେ ମିଳିବ।

ଟାଟା ମେମୋରିଆଲ ହସ୍ପିଟାଲର ବରିଷ୍ଠ କର୍କଟ ଚିକିତ୍ସକ ଡାକ୍ତର ରାଜେନ୍ଦ୍ର ବଡଭେ ଏହି ଗବେଷଣାରେ ସାମିଲ ଥିଲେ। ସେ କହିଛନ୍ତି ଯେ, ଗବେଷଣା ପାଇଁ ମନୁଷ୍ୟର କର୍କଟ କୋଷିକାକୁ ମୂଷାଠାରେ ପ୍ରୟୋଗ କରାଯାଇଥିଲା। ପରେ ବିକିରିଣ ଥେରାପି, କେମୋଥେରାପି ଏବଂ ଅସ୍ତ୍ରୋପଚାର ମାଧ୍ୟମରେ ମୂଷାଙ୍କୁ ଚିକିତ୍ସା କରାଯାଇଥିଲା। କର୍କଟ କୋଷିକାଗୁଡିକ ମରିଯିବା ପରେ ଏହା ଛୋଟ ଛୋଟ କଣିକା ‘କ୍ରୋମାଟିନ ପାର୍ଟିକିଲ୍ସ’ରେ ପରିଣତ ହୋଇଥାଏ। ଏହା ରକ୍ତପ୍ରବାହ ମାଧ୍ୟମରେ ଅନ୍ୟ ଅଙ୍ଗରେ ପହଞ୍ଚି କର୍କଟ ସୃଷ୍ଟି କରିଥାଏ। ଆଉ କିଛି କ୍ରୋମାଟିନ ପାର୍ଟିକିଲ୍ସ ସୁସ୍ଥ ଗୁଣସୂତ୍ର ସହ ମିଶି ପୁଣି କର୍କଟର କାରଣ ପାଲଟି ଥାଏ। ଏହି ସମସ୍ୟାର ସମାଧାନ ଲାଗି ଡାକ୍ତର ମୂଷାକୁ ରେସଭେରାଟ୍ରୋଲ ଏବଂ କପର (ଆର+ସିୟୁ) ସହିତ ପ୍ରି-ଅକ୍ସିଡାଣ୍ଟ ଦିଆଯାଇଥିଲା। (ଆର+ସିୟୁ) ଅକ୍ସିଜେନ ରାଡିକାଲ୍‌ ସୃଷ୍ଟି କରିଥାଏ। ଏହା କ୍ରୋମାଟିନ କଣିକାକୁ ନଷ୍ଟ କରିଦେଇଥାଏ। ଏହି ପ୍ରକ୍ରିୟା କେମୋଥେରାପିର ପାର୍ଶ୍ବ ପ୍ରତିକ୍ରିୟାକୁ ରୋକିଥାଏ। ମାତ୍ର ୧୦୦ ଟଙ୍କାରେ ଏହି ଔଷଧ ଉପଲବ୍ଧ ହେବ। ଏହା କର୍କଟର ସବୁଠାରୁ ଶସ୍ତା ଚିକିତ୍ସା ହେବ। ଏହି ବଟିକାକୁ ମଞ୍ଜୁରି ଦେବା ପାଇଁ ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟିକୁ ଆବେଦନ କରାଯାଇଛି ।