ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ: ପୁଣି ଟ୍ୟାକ୍ସ ବ୍ୟବସ୍ଥା ବଦଳାଇଲେ ଟ୍ରମ୍ପ
1 min read
ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶଙ୍କ ଉପରେ ଟାରିଫ ଲଗାଇବା ପରେ ବିଶ୍ବ ବଜାରରେ ହଲଚଲ ଦେଖିବାକୁ ମିଳିଛି । ସେପଟେ ଆମେରିକା ଉପରେ ବି କାଉଣ୍ଟର ଟାରିଫ ଲାଗିବାରେ ଲାଗିଛି । ବିଶ୍ବ ବଜାର ଦୋହଲି ଯାଇଥିବା ବେଳେ, ଆମେରିକା ବଜାର ବି ଆଣ୍ଠେଇ ପଡ଼ିଲାଣି । ଏମିତି ସ୍ଥିତିରେ ୟୁ-ଟର୍ଣ୍ଣ ମାରିଛନ୍ତି ଟ୍ରମ୍ପ । ଫୋନ, ଲାପଟପ୍, ସେମିକଣ୍ଡକ୍ଟର ଉପରେ କୌଣସି ଶୁଳ୍କ ରହିବ ନାହିଁ ।
ଆମେରିକାର କଷ୍ଟମ୍ସ ଏବଂ ସୀମା ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ନୋଟିସ ଜାରି କରି ଏହି ସୂଚନା ଦିଆଯାଇଛି । ଚୀନରୁ ଆମେରିକାକୁ ପ୍ରବେଶ କରୁଥିବା ସ୍ମାର୍ଟଫୋନ ଓ ଯନ୍ତ୍ରାଂଶ ସମେତ ବିଭିନ୍ନ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଏଥିରେ ଅନ୍ତର୍ଭୁକ୍ତ ରହିଛି । ଟ୍ରମ୍ପ ପ୍ରଶାସନର ରେସିପ୍ରୋକାଲ ଶୁଳ୍କରୁ ସ୍ମାର୍ଟଫୋନ୍, କମ୍ପ୍ୟୁଟର ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ମୁକ୍ତ କରିଛନ୍ତି । ଏହିସବୁ ସାମଗ୍ରୀ ଉପରେ ପୂର୍ବରୁ ଚୀନରେ ୧୪୫ ପ୍ରତିଶତ ଟ୍ୟାକ୍ସ ଲାଗୁ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ । ଅଧିକାଂଶ ଆମେରିକୀୟ ବାଣିଜ୍ୟିକ ଅଂଶୀଦାରଙ୍କ ଉପରେ ୧୦ ପ୍ରତିଶତ ଶୁଳ୍କ ଏବଂ ଚୀନ୍ ଉପରେ ଅତିରିକ୍ତ ୧୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଚଳିତ ସପ୍ତାହରେ ଏହି ଟାରିଫ୍ ଲାଗୁ କରାଯାଇଛି ।
ଅନେକ ନାମୀ କମ୍ପ୍ୟୁଟର କମ୍ପାନୀର ଉପକରଣ ଚୀନରେ ହେଉଛି । ଏହି ଉପକରଣ ସହ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ଉତ୍ପାଦ ମଧ୍ୟରେ ଟେଲିକମ ଉପକରଣ, ଚିପ ନିର୍ମାଣ ମେସିନ, ରେକର୍ଡିଂ ଡିଭାଇସ, ଡାଟା ପ୍ରକ୍ରିୟାକରଣ ମେସିନ ଏବଂ ପ୍ରିଣ୍ଟେଡ୍ ସର୍କିଟ ବୋର୍ଡ ରହିଛି । ଏଭଳି ଅନେକ ସାମଗ୍ରୀ ଆମେରିକାରେ ପ୍ରସ୍ତୁତ ହୁଏ ନାହଁ । ଏହିସବୁ ଉପକରଣ ଉପରେ ଟ୍ରମ୍ପଙ୍କ ଛାଡ ଘୋଷଣା ପରେ ଆମେରିକାରେ ଥିବା କମ୍ପାନୀ ଗୁଡିକୁ ଆଶ୍ଵସ୍ତି ମିଳିଛି । ଏହିସବୁ ସାମଗ୍ରୀ ଉପରେ ପୃଥକ ଭାବେ ଆମେରିକା ଶୁଳ୍ପ ଲଗାଇବାକୁ ଚିନ୍ତା କରୁଛି । ଏଥିରେ ଚୀନ ପାଇଁ ଶୁଳ୍ପ କମ ରହିବା ଅନୁମାନ କରାଯାଉଛି ।