ସମ୍ବଲପୁରରେ ଶାନ୍ତି ଫେରିବା ଚାହୁଁନି ବିଜେପି: ବିଜେଡି

ଭୁବନେଶ୍ୱର: ସମ୍ବଲପୁରର ସମ୍ବେଦନଶୀଳ ଘଟଣା ପରେ ଲୋକଙ୍କ ସହଯୋଗ ଓ ପୋଲିସ ପ୍ରଶାସନର ଉଦ୍ୟମରୁ ଫେରୁଛି ସ୍ୱାଭାବିକ ସ୍ଥିତି । ହେଲେ ଦୁର୍ଭାଗ୍ୟର କଥା ରାଜ୍ୟ ବିଜେପିର ନେତାମାନେ ସମ୍ବଲପୁରରେ ସ୍ଥିତି ସ୍ୱାଭାବିକ ହେଉ ବୋଲି ଚାହୁଁନାହାନ୍ତି । କାରଣ ସେମାନଙ୍କ ବିବୃତ୍ତି ଏହାକୁ ଇଙ୍ଗିତ କରୁଛି । ସମ୍ବଲପୁର ସ୍ଥିତିକୁ ନେଇ ବିଜେପିକୁ ଏମିତି କହି ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ଦେବୀ ପ୍ରସାଦ ମିଶ୍ର ।

ବିଜେଡି ପକ୍ଷରୁ କୁହାଯାଇଛି, ସମ୍ବଲପୁରରେ ପ୍ରାରମ୍ଭିକ ପ୍ରୟାସ ବିଫଳ ହେବା ପରେ ରାଜ୍ୟ ବିଜେପି ନେତାମାନେ ବିଭିନ୍ନ ଉପାୟ ମାଧ୍ୟମରେ ଏହି ପ୍ରସଙ୍ଗକୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି । ଏପରି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ଦେଇଥିବା ବନ୍ଦ ଡାକରା ଓଡିଶାର ଗରିବ ଲୋକଙ୍କ ଜୀବନଜୀବିକା ଉପରେ ପ୍ରଭାବ ପକାଇଥିଲା । ବର୍ତ୍ତମାନ ସେମାନେ ପୁଣିଥରେ ଏଭଳି କାର୍ଯ୍ୟକଳାପ ମାଧ୍ୟମରେ ଓଡ଼ିଶାର ଶାନ୍ତିପ୍ରେମୀ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ।

ଉଭୟ ନେତା ଆଗକୁ କୁହାଯାଇଛି, ଓଡ଼ିଶାବାସୀ ଶାନ୍ତିପ୍ରେମୀ ଓ ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ । କିନ୍ତୁ ରାଜ୍ୟ ବିଜେପି ସେମାନଙ୍କୁ ଆଇନବିହୀନ ବୋଲି କହି ଅପମାନିତ କରୁଛି । ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଜଣେ ବରିଷ୍ଠ ତଥା ଅଭିଜ୍ଞ ରାଜନେତା ହୋଇଥିବାରୁ ଏହା ତାଙ୍କଠାରୁ ଆଶା କରାଯାଉନାହିଁ । ଓଡିଶାର ଲୋକମାନେ ଶାନ୍ତି ଚାହୁଁଛନ୍ତି ଓ ସମ୍ବଲପୁରର ଲୋକମାନେ ଶୀଘ୍ର ସ୍ଥିତି ସ୍ୱାଭାବିକ ହେବା ଚାହୁଁଛନ୍ତି । ଯାହା ଓଡିଶା ବିଜେପିର ଏଜେଣ୍ଡା ସହ ମେଳ ଖାଉନାହିଁ । ତେଣୁ ସେମାନେ କ୍ରମାଗତ ଭାବରେ ଓଡିଶା ଓ ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି ।