ଆଜିଠୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ରପର୍ବ, ୪ଟି ମଙ୍ଗଳବାରରେ ହେବ ସ୍ବତନ୍ତ୍ର ପୂଜା

ଗଞ୍ଜାମ: ଚଳଚଞ୍ଚଳ ରତ୍ନଗିରି ପାହାଡ଼ । ଆରମ୍ଭ ହୋଇଛି ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା । ଆଜି ଚୈତ୍ର ଯାତ୍ରାର ପ୍ରଥମ ମଙ୍ଗଳବାର । ଆଉ ଏଥିପାଇଁ ଆଜି ସକାଳୁ ସକାଳୁ ମାଙ୍କୁ ଦର୍ଶନ କରିବା ନିମନ୍ତେ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ଚୈତ୍ର ଯାତ୍ରା ସମୟରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ଅତୁଟ ବିଶ୍ବାସ ରହିଛି । ମାସର ୪ଟି ମଙ୍ଗଳବାରରେ ହେବ ଦେବୀଙ୍କ ସ୍ବତନ୍ତ୍ର ପୂଜା । ମାନସିକଧାରୀ ସେମାନଙ୍କ ଛୁଆଙ୍କୁ ମୁଣ୍ଡନ କରି ମା’ଙ୍କ ଆଶିଷ ନେବେ । ଚଳିତ ବର୍ଷ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶିଶୁଙ୍କ ମୁଣ୍ଡନ ପାଇଁ ୫ଟି ସ୍ଥାନରେ ବ୍ୟବସ୍ଥା କରାଯାଇଥିବା ବେଳେ ୪ ଶହରୁ ଉର୍ଦ୍ଧ୍ବ ବାରିକ ରେଜିଷ୍ଟ୍ରେସନ କରିଛନ୍ତି ।

ସେହିପରି ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଟେଣ୍ଟ, ପାନୀୟ ଜଳ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କୁ ଯାତାୟାତ ପାଇଁ ଅତିରିକ୍ତ ସିଟିବସର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନେ ୩ ପଥ ଦେଇ ପର୍ବତ ଶିଖରକୁ ଆସି ଦର୍ଶନ କରିପାରିବେ । ଭକ୍ତଙ୍କ ସୁରକ୍ଷା ପାଇଁ ୨ଜଣ ଅତିରିକ୍ତ ଏସପି, ୩ ଜଣ ଡିଏସପି, ୧୪ ଜଣ ଇନ୍ସପେକ୍ଟରଙ୍କ ସହ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତବର୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ନୂତନ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ମା’ଙ୍କ ମନ୍ଦିର ପ୍ରତିଷ୍ଠା ହେବା ପରେ ଏହା ପ୍ରଥମ ଚୈତ୍ର ଯାତ୍ରା ।