ଚଇତି ଯାତ୍ରା ପାଇଁ ଚଳଚଞ୍ଚଳ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ

ନନ୍ଦିଘୋଷ ବ୍ୟୁରୋ: ଚଳଚଞ୍ଚଳ ତାରାତାରିଣୀଙ୍କ ପୀଠ । ଆସନ୍ତା କାଲିଠାରୁ ଆରମ୍ଭ ହେବ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ଚୈତ୍ର ଯାତ୍ରା । ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ସମାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଛି । ମନ୍ଦିର ଉପରେ ଓ ତଳେ ପାନୀୟ ଜଳ ବ୍ୟବସ୍ଥା ସାଙ୍ଗକୁ ବ୍ଯାରିକେଟ ବ୍ଯବସ୍ଥା ହୋଇଛି ।
ସଜେଇ ହେଲାଣି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠ । ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଆଙ୍କ ଚୈତ୍ର ଯାତ୍ରା । ଏବେଠୁ ପୀଠରେ ଲାଗିଲାଣି ଭକ୍ତଙ୍କ ଗହଳି । ମାଆଙ୍କ ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ସମାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଛି । ଭକ୍ତ ମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ମାଆଙ୍କ ଦର୍ଶନ କରିପାରିବେ ସେଥିପାଇଁ ବ୍ଯାରିକେଡର ବ୍ଯବସ୍ଥା କରାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମନ୍ଦିର ଉପରକୁ ଭକ୍ତଙ୍କ ଯାତାୟତ ନିମନ୍ତେ ୨୦ ରୁ ୨୫ ଟି ବସ ଚଳାଚଳର ବ୍ଯବସ୍ଥା କରାଯିବା ସାଙ୍ଗକୁ ମନ୍ଦିର ଉପର ଓ ତଳେ ପାନୀୟ ଜଳର ବ୍ଯବସ୍ଥା କରାଯାଇଛି ।
ମାଆଙ୍କ ଚୈତ୍ର ଯାତ୍ରା ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ଏପ୍ରିଲ ୧୫ରେ ଶେଷ ହେବ । ଚୈତ୍ର ଯାତ୍ରା ଅବସରରେ ମାଆଙ୍କୁ ସ୍ଵତନ୍ତ୍ର ରୀତିନୀତି ସହକାରେ ପୂଜାର୍ଚ୍ଚନା କରାଯିବ । ପ୍ରତି ମଙ୍ଗଳବାର ଦିନ ମାଆ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସେପଟେ ଆସନ୍ତାକାଲି ଠାରୁ ମାଆଙ୍କ ଚୈତ୍ର ଯାତ୍ରା ଆରମ୍ଭ ହେଉଥିବା ବେଳେ ଆଜି ଠାରୁ ପୀଠରେ ଭକ୍ତ ମାନଙ୍କର ଭିଡ଼ ଲାଗିଲାଣି । ଚଳିତ ବର୍ଷ ଚୈତ୍ର ମାସରେ ୪ଟି ମଙ୍ଗଳବାର ପଡୁଥିବାରୁ ଲକ୍ଷାଧିକ ସଂଖ୍ଯାରେ ଭକ୍ତଙ୍କ ଭିଡ ଲାଗିବାର ସମ୍ଭାବନା ରହିଥିବାରୁ ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସଜାଗ ରହିଛନ୍ତି ।