‘ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି ୨ ବିଜେପି ବିଧାୟକ’

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ ବିଜେପି ବିଧାୟକ କରିଛନ୍ତି କ୍ରସ୍ ଭୋଟିଂ । ନିଜ ଦଳର ପ୍ରାର୍ଥୀଙ୍କ ବଦଳରେ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି ଦୁଇ ବିଜେପି ବିଧାୟକ । ଏଭଳି ଗୁରୁତର ଅଭିଯୋଗ କରିଛନ୍ତି କଂଗ୍ରେସ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ସହ ଆଉ ଜଣେ କଂଗ୍ରେସ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି ବୋଲି ବିଜେପି ମୁଖ୍ୟସଚେତକ ମୋହନ ମାଝିଙ୍କ ଅଭିଯୋଗର ଜବାବରେ ତାରା ଏଭଳି ଉତ୍ତର ରଖିଛନ୍ତି ।

ତାରା କହିଛନ୍ତି, ଆମର ଯିଏ କ୍ରସ ଭୋଟିଂ କରିଛନ୍ତି ସିଏ ଖୋଲାଖୋଲି କହିଛନ୍ତି, ହେଲେ ଗଣତନ୍ତ୍ରର ସୁରକ୍ଷା କଥା କହୁଥିବା ବିଜେପି ବିଧାୟକ ବି ଲୁଚାଛପା ଭାବେ କ୍ରସ ଭୋଟିଂ କରିଛନ୍ତି । ଆସନ୍ତାକାଲି ଫଳାଫଳ ଆସିବା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଦୃଢକ୍ତି କରିଛନ୍ତି । ତେବେ ଏହାକୁ ନେଇ ବିଧାନସଭା ରାଜନୀତି ଚଳଚଞ୍ଚଳ ହୋଇଛି । କେବଳ ତାାରା ନୁହଁନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ କହିଛନ୍ତି ଆମର ୮ଟି ଭୋଟ ଯାଇଛି  । କିନ୍ତୁ ସିହ୍ନାଙ୍କୁ ଓଡିଶାରୁ ଯାଇଛି ୧୧ ଭୋଟ୍  ।