ତାରା ମାରିଲେ ତେର୍ଚ୍ଛାବାଣ, କହିଲେ ପିସିସି ସଭାପତିଙ୍କ ଚାରିପାଖେ ବୁଲିଲେ ସଂଗଠନ ମଜବୁତ ହେବନି

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ନବ ସଂକଳ୍ପ ଶିବିରକୁ ନେଇ ତାରା ମାରିଲେ ତେର୍ଚ୍ଛାବାଣ । କହିଲେ ପିସିସି ସଭାପତିଙ୍କ ଚାରିପଟେ ବୁଲିଲେ ସଙ୍ଗଠନ ମଜବୁତ ହେବନି । ସଙ୍ଗଠନକୁ ମଜବୁତ କରିବାକୁ ହେଲେ କାମ କରିବାକୁ ପଡ଼ିବ ।

ସ୍ୱାସ୍ଥ୍ୟ ଗତ କାରଣରୁ ନବ ସଙ୍କଳ୍ପ ବୈଠକରେ ଅନୁପସ୍ଥିତ ଥିଲେ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି । ପ୍ରବଳ ଖରାରେ ବ୍ରଜରାଜନଗରରେ ନିର୍ବାଚନ ପ୍ରଚାର କରିବା ପରେ ମୋ ଦେହ ଅସୁସ୍ଥ ହୋଇଯାଇଥିଲା । ତେଣୁ ମୁଁ ଅନୁପସ୍ଥିତ ଥିଲି । ପିସିସି ସଭାପତି ପଦ ନ ମିଳିବାରୁ ମନ ଦୁଃଖ ଅଛି ବେଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ତାରା । ସେ କହିଥିଲେ, ‘ମୋର ତ ମନ ନାହିଁ ମନ ଦୁଃଖ କେମିତି ହେବ? ଲୋକମାନେ ଚାହିଁଲେ କଂଗ୍ରେସର ସ୍ଥିତି ପରିବର୍ତ୍ତନ ହେବ । ପିସିସି ସଭାପତିଙ୍କ ପଛରେ ବୁଲିଲେ କଂଗ୍ରେସ ଆଗକୁ ବଢ଼ି ପାରିବନି । ପରିଶ୍ରମ କଲେ ହିଁ ବଢ଼ିପାରିବ ବୋଲି କହିଥିଲେ ତାରା ।

ସେହିପରି ଦଳୀୟ ସଙ୍ଗଠନକୁ ନେଇ କୌଣସି ଅସନ୍ତୋଷ ନାହିଁ ବୋଲି ସେ କହିଛନ୍ତି । ସେ ପିସିସି ସଭାପତି ରେସରେ ନଥିଲେ, ଆଉ ଯଦି ମିଳିଥାନ୍ତା ଛାଡ଼ିନଥାନ୍ତେ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି । ଏହାସହ କାନ କଥା ଶୁଣିବେନି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଯେଉଁ କଥା କହିଛନ୍ତି ତାହାକୁ ସ୍ବାଗତ କରିଛନ୍ତି ତାରା ପ୍ରସାଦ ବାହିନୀପତି।

ଶ୍ରୀମନ୍ଦିର ପ୍ରସଙ୍ଗରେ ମଧ୍ୟ ନିଜର ଉକ୍ତି ରଖିଥିଲେ ତାରା । ସେ କହିଛନ୍ତି ଯେ, ପୁରୀରେ ବିକାଶ କାର୍ଯ୍ୟ ହେବା ଦରକାର । ଆଇନ୍ ଅନୁସାରେ କାର୍ଯ୍ୟ ହେଉ । ଜନନ୍ନାଥକୁ ନେଇ ରାଜନୀତି ନ ହେଉ । କଂଗ୍ରେସ କେବେ ଜଗନ୍ନାଥଙ୍କୁ ନେଇ ରାଜନୀତି କରେ ନାହିଁ ।