କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହେଲେ ତପୁ ମିଶ୍ର । ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୁଖାଗ୍ନି ଦେଇଛନ୍ତି ସ୍ୱାମୀ ଦୀପକ ପୂଜାରୀ । ତପୁଙ୍କ ଶେଷଦର୍ଶନ କରିଥିଲେ ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାସ, ଉଷସୀ ମିଶ୍ର, ସୋଫିଆ ଆଲାମ, ରାଖି, ଅଭିନେତା ବୁଲୁ ପ୍ରମୁଖ। ଗତକାଲି ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ ଘଟିଛି । କରୋନାରୁ ସୁସ୍ଥ ହେବା ପରେ ଫୁସଫୁସ ସଂକ୍ରମଣରେ ପୀଡ଼ିତ ଥିଲେ ତପୁ । ଭୁବନେଶ୍ୱର ସମ୍‌ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ତପୁଙ୍କ ବାସଭବନରେ ତାଙ୍କ ବନ୍ଧୁ ପରିଜନ ଶେଷ ଦର୍ଶନ କରିଥିଲେ । ଏହାପରେ ବାସଭବନରୁ ସତ୍ୟନଗର ଶ୍ମଶାନ ନିଆଯାଇଥିଲା ତାଙ୍କ ପାର୍ଥିବ ଶରୀର । ସେଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତ ମାସ ମେ ୨୦ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାସେ କାଳ ସଂଘର୍ଷ କରି ଶେଷରେ ହାରି ଯାଇଛନ୍ତି ତପୁ ମିଶ୍ର । ମାତ୍ର ୩୬ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ଜଣେ ସଫଳ କଣ୍ଠଶିଳ୍ପୀ ଭାବେ ବେଶ ସୁନାମ ଅର୍ଜନ କରିଥିଲେ ତପୁ । ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ବରିଷ୍ଠ ଅଭିନେତାଙ୍କ ସହ ଅନେକ କଳାକାର, କଣ୍ଠଶିଳ୍ପୀ ଓ ତପୁଙ୍କ ପ୍ରଶଂସକମାନେ ତାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: କୋଭିଡ କ୍ଷତିପୂରଣ ପ୍ରଦାନ ନେଇ ଅସମର୍ଥତା ପ୍ରକାଶ କଲେ ସରକାର

 

Leave a Reply