ନନ୍ଦିଘୋଷ ବ୍ୟୁରୋ: ସକ୍ରିୟ ମାଫିଆ, ନିଷ୍କ୍ରିୟ ପୋଲିସ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଖଣି ମାଫିଆଙ୍କ ରାଜ୍ । ଦିନ ଦ୍ଵିପ୍ରହରେ ବେଧଡକ ଭାବେ ଲୁଟୁଛନ୍ତି ଶହ ଶହ ଟ୍ରିପ କଳା ମୁଗୁନି ପଥର । ଖଣି ଖନନରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷତି ଘଟୁଛି । କୋଟି କୋଟି ଟଙ୍କାର ରାଜସ୍ଵ ହରାଉଛନ୍ତି ସରକାର । ହେଲେ ଚେଇଁ ଶୋଇଛି ପ୍ରଶାସନ । ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି କ୍ଷତିଗ୍ରସ୍ତ ଲୋକେ ।
ଟାଙ୍ଗୀ ବ୍ଲକ ଜୟ ମଙ୍ଗଳପୁର ନିକଟ ଟାଙ୍ଗରା ମୁଣ୍ଡିଆରେ ଚାଲିଛି ବେଆଇନ ବ୍ଲାଷ୍ଟିଂ । ବ୍ଲାଷ୍ଟିଂରୁ କୁହୁଡି, କୁଞ୍ଜୁରୀ, ଆଡିଆପଡା, କୁରୁମୀ, ନାଚୁଣୀ ଆଦି ଅଞ୍ଚଳରେ ହେଉଛି ବ୍ୟାପକ କ୍ଷତି । କେତେବେଳେ ଘରେ ଫାଟ ସୃଷ୍ଟି ହେଉଛି ତ କେତେବେଳେ ଧନଜୀବନ ହାନି ଘଟୁଛି । ଏନେଇ ଲୋକେ ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ ଫଳ ଶୂନ । ଦାନା ବାନ୍ଧିଲାଣି ଆନ୍ଦୋଳନ ।
ପ୍ରଶାସନଠୁ ନିରାଶ ହେବା ପରେ ଟାଙ୍ଗୀ ବ୍ଲକ ଆଞ୍ଚଳିକ ପରିବେଶ ସୁରକ୍ଷା ସଂଗ୍ରାମ ସମିତି ପକ୍ଷରୁ କରାଯାଇଛି ଜୋରଦାର ଆନ୍ଦୋଳନ । ମହିଳା ଓ ପୁରୁଷମାନେ ହାତରେ ପ୍ଲା କାର୍ଡ ଧରି ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ । ବଳରାମଦେବ ମନ୍ଦିରଠାରୁ ଶୋଭାଯାତ୍ରାରେ ବାହାରି ଟାଙ୍ଗୀ ଏନଏସି ପରିକ୍ରମା କରିଥିଲେ । ପରେ ଟାଙ୍ଗୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । ଶୀଘ୍ର ଦାବି ପୂରଣ କରା ନଗଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାଇ ଦେଇଛନ୍ତି ଆନ୍ଦୋଳନକାରୀ ।
ସରକାର ବଦଳିବା ପରେ ମାଫିଆମାନେ ଧରାକୁ ସରା ମଣୁନାହାନ୍ତି । ଦିନ ଦ୍ଵିପ୍ରହରେ ଖେଳାଉଛନ୍ତି ଆତଙ୍କ । ପ୍ରଶାସନ ବେଆଇନ ଖଣି ଖନନ ଉପରେ ରୋକ ଲଗାଇବା ଜରୁରୀ ହୋଇପଡିଛି ।

