ଚଢାଉ ବେଳେ ଆକ୍ରମଣ କଲେ ଖଣି ମାଫିଆ, ଅଳ୍ପକେ ବର୍ତ୍ତିଲେ ଏନଫୋର୍ସମେଣ୍ଟ ଟିମ୍

ଟାଙ୍ଗୀ: ଟାଙ୍ଗୀ ଚାନ୍ଦପୁରରେ ବଢ଼ିଛି ଖଣି ମାଫିଆଙ୍କ ଉତ୍ପାତ। କୁଶପଲ୍ଲା ବେଆଇନ ଖଣି ଉପରେ ଚଢ଼ାଉ ବେଳେ ରଣପୁର ତହସିଲ ଏନଫୋର୍ସମେଣ୍ଟ ଟିମକୁ ଖଣି ମାଫିଆଙ୍କ ଆକ୍ରମଣ ଅଭିଯୋଗ । ଖଣି ମାଫିଆମାନେ ଜୋର ଜବରଦସ୍ତ ଗାଡି ନେଇଯିବା ସହ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି  ଏନଫୋର୍ସମେଣ୍ଟ ଟିମର ସଦସ୍ୟ ସୁଦାମ ଚରଣ ବେହେରା । ଏ ନେଇ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି  । ରଣପୁର ଅତିରିକ୍ତ ତହସିଲଦାରଙ୍କ ନେତୃତ୍ବରେ ୮ଜଣିଆ ଟିମ୍ କରିଥିଲା ଚଢ଼ାଉ ।

ଘଟଣାସ୍ଥଳରେ ଚମ୍ପଟ ମାରିଛନ୍ତି ମାଫିଆ । ଗୋଟିଏ ବୁଲେଟ୍, ପଥର ବୋଝେଇ ଟ୍ରକ୍, କଟର ନେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି । ୨୦ରୁ ଅଧିକ ପଥର ମାଫିଆ ଆକ୍ରମଣ କରିଥିବା ସୂଚନା । ଆହତ କର୍ମଚାରୀଙ୍କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି ।

ରାଜସ୍ବ ସୁପର ଭାଇଜର ଶିବନାରାୟଣ ପ୍ରଧାନ, ଝାରପଡା ଆରଆଇ ଅନିଲ ବେହେରା, ରାଇପଡା ଆରଆଇ ରାକେଶ ରଞ୍ଜନ ସେଠି  ଓ ରଣପୁର ତହସିଲର ଚାରି ଜଣ ଅମିନ ସାମିଲ ହୋଇଥିଲେ | ଅଭିଯୋଗ ପରେ  ଚାନ୍ଦପୁର ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ ।