ରାଷ୍ଟ୍ରପତି ଏବଂ ରାଜ୍ୟପାଳ ବିନା ସମ୍ମତିରେ ୧୦ଟି ଆଇନ ପାଇଁ ବିଜ୍ଞପ୍ତି ଜାରି କଲେ ତାମିଲନାଡୁ ସରକାର

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ବିଧାନସଭା ଇତିହାସରେ ପ୍ରଥମ । ତାମିଲନାଡୁ ସରକାର ପ୍ରଥମ ଥର ଲାଗି ରାଜ୍ୟପାଳ କିମ୍ବା ରାଷ୍ଟ୍ରପତି ବିନା ସମ୍ମତିରେ ୧୦ଟି ଆଇନ ପ୍ରସଙ୍ଗରେ ବିଜ୍ଞପ୍ତି ଜାରି କରିଛନ୍ତି । ଉଭୟ ତାମିଲନାଡୁ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ବିଲ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଚେତାବନୀ ଦେବା ପରେ ପରେ ବୋଲ୍ଡ ଷ୍ଟେପ ନେଇଛନ୍ତି ତାମିଲନାଡୁ ସରକାର ।
ଗତ ଏପ୍ରିଲ ୧୧ ତାରିଖରେ ରାଜ୍ୟ ସରକାର ୧୦ ଆଇନ ସମ୍ପର୍କରେ ଗେଜେଟ ଜାରି କରିଛନ୍ତି । ଏହି ବିଲଗୁଡିକ ବିଧାନସଭାରେ ଥରେ ଓ ସ୍ବତନ୍ତ୍ର ଅଧିବେଶନରେ ପୁଣି ଥରେ ଗୃହୀତ କରାଯିବା ପରେ ରାଜ୍ୟପାଳ ଆର.ଏନ. ରବିଙ୍କ ନିକଟକୁ ପଠାଯାଇଥିଲା । ମାତ୍ର ରାଜ୍ୟପାଳ ଏସବୁ ବିଲକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ ।
ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ବିଧାନସଭାରେ ଏକ ବିଲ ପାସ୍ ହେବା ପରେ ତାହାକୁ ରାଜ୍ୟପାଳଙ୍କ ନିକଟକୁ ପଠାଯାଏ । ରାଜ୍ୟପାଳ ଏହାକୁ ସ୍ବୀକୃତି ଦେଇପାରନ୍ତି କିମ୍ବା ସ୍ଥଗିତ ରଖିପାରନ୍ତି । ପରିବର୍ତ୍ତନ ବା ପୁନଃସମୀକ୍ଷା ଲାଗି ବିଧାନସଭାକୁ ପଠାଇପାରନ୍ତି କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇପାରନ୍ତି । ତେବେ ରାଜ୍ୟପାଳଙ୍କଠାରୁ ଫେରସ୍ତ ଆସିଥିବା କୌଣସି ଅପରିବର୍ତ୍ତିତ ବା ପରିବର୍ତ୍ତିତ ବିଲ୍ ପୁଣି ଥରେ ବିଧାନସଭାରେ ଗୃହୀତ ହେଲେ ଏହାକୁ ରାଜ୍ୟପାଳ ପକାଇ ରଖିପାରିବେ ନାହିଁ । ଯଦି ହାଇକୋର୍ଟ କିମ୍ବା କେନ୍ଦ୍ର ସମ୍ପର୍କିତ ବିଷୟ ଥାଏ ତେବେ ବିଲକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥାଏ । ହେଲେ ତାମିଲନାଡୁ କ୍ଷେତ୍ରରେ ବିଧାନସଭାରେ ପୁନଃଗୃହୀତ ହୋଇଥିବା ବିଲଗୁଡିକୁ ମଞ୍ଜୁରୀ ନଦେଇ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ ।