ଦହିକୁ ନେଇ ଦକ୍ଷିଣରେ ଖଟା ହୋଇଛି ରାଜନୀତି, ହିନ୍ଦୀରେ ଦହି ଲେଖିବା ନିର୍ଦ୍ଦେଶକୁ ଜୋରଦାର ବିରୋଧ

1 min read

ଚେନ୍ନାଇ: ଦହିକୁ ନେଇ ଦକ୍ଷିଣରେ ଖଟା ହୋଇଛି ରାଜନୀତି । ଦହି ପ୍ୟାକେଟ ଉପରେ ହିନ୍ଦୀରେ ଦହି ଲେଖିବାକୁ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶକୁ ତାମିଲନାଡୁରେ ଜୋରଦାର ବିରୋଧ କରାଯାଇଛି । ଦକ୍ଷିଣ ଭାରତୀୟ ରାଜ୍ୟରେ ଜବରଦସ୍ତି ହିନ୍ଦୀ ଭାଷାର ବ୍ୟବହାରକୁ ଲଦି ଦିଆଯାଉଛି ବୋଲି କହିବା ସହ FSSAIର ଏଭଳି ପଦକ୍ଷେପକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । ଏହା ସହ ରାଜ୍ୟ ଉପରେ ଜୋର କରି ହିନ୍ଦୀ ଭାଷାର ବ୍ୟବହାର ପାଇଁ ଚାପ ପକାଇବା ପଛରେ ଥିବା ଲୋକମାନଙ୍କୁ ଦକ୍ଷିଣ ଭାରତରୁ ବାହାର କରିଦେବା ଆବଶ୍ୟକ ବୋଲି ଷ୍ଟାଲିନ କହିଛନ୍ତି ।

ସେପଟେ ରାଜ୍ୟ ବିଜେପି ମଧ୍ୟ କେନ୍ଦ୍ରର ଏହି ନିଷ୍ପତ୍ତିକୁ ବିରୋଧ କରିଛି । ଏହାସହ ରାଜ୍ୟ ସରକାରଙ୍କୁ ଜାରି ହୋଇଥିବା ଅଧିସୂଚନା ଫେରାଇ ନେବାକୁ ରାଜ୍ୟ ବିଜେପି ମୁଖ୍ୟ ଦାବି କରିଛନ୍ତି । ହିନ୍ଦୀ ଶବ୍ଦ ଦହି ବଦଳରେ ତାମିଲ ଶବ୍ଦ ନାୟୀର ବ୍ୟବହାର କରାଯିବ ବୋଲି କହିଛି ତାମିଲନାଡୁ ଦୁଗ୍ଧ ଉତ୍ପାଦନ ସଂଘ । ଏନେଇ FSSAIକୁ ସୂଚିତ କରିଦିଆଯାଇଛି । ତାମିଲନାଡ଼ୁରେ ହିନ୍ଦୀ ଭାଷାର ଥୋପକୁ ବିରୋଧ କରି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଦହି-ନହି-ପୋଡ଼ା ହାସଟ୍ୟାଗ । ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଆଞ୍ଚଳିକ ଭାଷାକୁ ନେଇ ଆରମ୍ଭରୁ ବେଶ୍ ସମ୍ବେଦଳଶୀଳ । ଏବେ ହିନ୍ଦୀ ଭାଷା ପ୍ରୟୋଗ ନେଇ କେନ୍ଦ୍ର ଚାପ ପକାଇବାରୁ ତାମିଲନାଡୁ ସରକାର ସିଧାସିଧା ଏହାର ବିରୋଧ କରିଛନ୍ତି ।