ତାମିଲନାଡ଼ୁରେ ବର୍ଷା ବିତ୍ପାତ; ୧୪ ମୃତ

ଚେନ୍ନାଇ: ଲଗାଣ ବର୍ଷାରେ ବେହାଲ ତାମିଲନାଡୁ । ଲଗାତର ବର୍ଷା ଫଳରେ ଅନେକ ଅଞ୍ଚଳରେ ବର୍ଷା ଜଳ ଜମି ରହିଥିବା ବେଳେ ଜଳ ନିଷ୍କାସନ ହୋଇ ନପାରିବା ଯୋଗୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଚେନ୍ନାଇ ଓ ଏହାର ଆଖପାଖ ଜିଲ୍ଲାର ଲୋକ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲଗାଣ ବର୍ଷା ଜାରି ରହିଛି । ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ପାଣିଘେରରେ ରହିଛି ଶହ ଶହ ଗାଁ । ଅବିଶ୍ରାନ୍ତ ବର୍ଷା ଫଳରେ ପ୍ରାୟ ଏକ ସପ୍ତାହ ହେବ ଲୋକମାନେ ଅନେକ ଦୁର୍ଦ୍ଦଶା ଭୋଗୁଛନ୍ତି । ବର୍ଷା ଯୋଗୁ ଏ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେତେକ ହସ୍ପିଟାଲରେ ମଧ୍ୟ ପାଣି ପଶି ଯାଇଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଅନେକ ଅସୁବିଧା ଭୋଗୁଛନ୍ତି । ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ଡ୍ରେନ ପାଣି ଲୋକଙ୍କ ଘର ଭିତରକୁ ପ୍ରବେଶ କରିଛି । ତଳିଆ ଅଞ୍ଚଳର ଲୋକମାନଙ୍କ ଘରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ବର୍ଷା ଜାରି ରହିଥିବାରୁ ନଦୀକୂଳ ଗାଁ ଗୁଡ଼ିକରେ ଜଳ ନିଷ୍କାସନ ହୋଇ ପାରୁ ନଥିବା ବେଳେ ଉପାସ ଓ ଅନିଦ୍ରା ରହି ଦିନ କାଟୁଛନ୍ତି । ସେପଟେ ଆଜି ସନ୍ଧ୍ୟା ସୁଦ୍ଧା ତାମିଲନାଡୁ ଉପକୂଳ ଦେଇ ଗତି କରିବ ବାତ୍ୟା । ଯାହା ପ୍ରଭାବରେ ଆଜି ସନ୍ଧ୍ୟାରୁ ଦକ୍ଷିଣ ତାମିଲନାଡୁର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇପାରେ । ଆସନ୍ତା ଦୁଇ ଦିନ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ବର୍ଷା ସହ ପବନର ବେଗ ମଧ୍ୟ ବଢ଼ିବା ଆଶଙ୍କା ରହିଛି ।  ଚେନ୍ନାଇ ସମେତ ଚେଙ୍ଗଲପେଟ୍, ତିରୁଭାଲୁର, କଞ୍ଚେପୁରମ, ଭିଲୁପୁରମ ଆଦି ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି । ଚେନ୍ନାଇ ସମେତ ୨୦ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ୍ ଟିମ୍ ନିୟୋଜିତ କରାଯାଇଛି ।

ତାମିଲନାଡୁ ବ୍ୟତୀତ ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ ମଧ୍ୟ ଏକ ସପ୍ତାହରୁ ଅଧିକ ସମୟ ଧରି ଜାରି ରହିଛି ବର୍ଷା । ଅବିଶ୍ରାନ୍ତ ବର୍ଷା ଫଳରେ ବନ୍ୟା ଓ ଭୂଷ୍କଳନରେ ପ୍ରାୟ ୧୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର କହିଛି କି ୫୦୦୦ରୁ ଅଧିକ ଲୋକ ସେମାନଙ୍କ ଘରୁ ବାହାରି ରିଲିଫ ସେଣ୍ଟରରେ ଆଶ୍ରୟ ନେଇଛନ୍ତି । ଅଧିକାଂଶ ମୃତ୍ୟୁ ପାଣିରେ ବୁଡି ଓ ବଜ୍ରପାତ ଯୋଗୁଁ ହୋଇଛି ।

Leave a Reply