ଭୁବନେଶ୍ୱର ବୁଲିଲେ ତାମିଲନାଡ଼ୁ କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଓ ଟିମ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ରକ୍ଷା କରି ବିଶ୍ୱକପ ହକି ଦେଖିବାକୁ ଓଡିଶା ଗସ୍ତରେ ତାମିଲନାଡ଼ୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଦୟ ନିଧି ଷ୍ଟାଲିନ । ଉଦୟ ନିଧି ଷ୍ଟାଲିନ୍ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭାରତ ବନାମ ୱେଲ୍ସ ମ୍ୟାଚ୍ ଦେଖିଥିଲେ । ତେବେ ଗତକାଲି ମ୍ୟାଚ୍ ଦେଖିବା ପରେ ଆଜି ଉଦୟନିଧି ଷ୍ଟାଲିନ ନିଜ ଟିମ୍ ସହ ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ନିଳାଦ୍ରୀବିହାର ସ୍ଥିତ ଇଶାଣେଶ୍ୱର ବିଜୁ ଆଦର୍ଶ କଲୋନୀ ଗସ୍ତ କରିଥିଲେ। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ଜରିଆରେ ପାଣି ପିଇଥିଲେ ।

ଏହା ପରେ ବିଏମସିର ବର୍ଜ୍ୟ ପରିଚାଳନା ଓ କମ୍ୟୁନିଟି ପାର୍ଟିସିପେସନ ଆଦି ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ। ଏହି ଅବସରରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନାନ ଓ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଗସ୍ତ ଶେଷ କରି ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଓ ଟିମ୍ ରାଉରକେଲା ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ମ୍ୟାଚ ଦେଖିବାର କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି ।