ମହିଳାଙ୍କ ଦେହରେ ରହିଗଲା ଛୁଞ୍ଚି, ଫେଲ ମାରିଲା ଅପରେସନ, କୋର୍ଟ ଲଗାଇଲେ ୧୨ ଲକ୍ଷର ଜରିମାନା

ତାମିଲନାଡୁ: ତାମିଲନାଡୁରେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଆପଣ ଚିକିତ୍ସାରେ ଅବହେଳା ଖବର ଶୁଣିଥିବେ । ଏଥିପାଇଁ ରୋଗୀ ମୃତ୍ୟୁ ବରଣ ବି କରିଥାନ୍ତି ।

ଏବେ ତାମିଲନାଡୁରେ ଡାକ୍ତର ଏମିତି ଭୁଲ କରିଛନ୍ତି ଯାହା ପାଇଁ ରୋଗୀ ଭୋଗିଛନ୍ତି ଯନ୍ତ୍ରଣା । ତାମିଲନାଡୁ କୁଡ୍ଡାଲୋର ଜିଲ୍ଲାରେ ଘଟିଛି ଏପରି ଘଟଣା । ଡାକ୍ତରଙ୍କ ଏପରି ଭୁଲ ପାଇଁ କୋର୍ଟ ତାଙ୍କୁ ଲକ୍ଷାଧିକ ଟଙ୍କାର ଜରିମାନା ଲଗାଇଛନ୍ତି ।

ସୂଚନା ଅନୁସାରେ, ୨୦୧୬ ମସିହାରେ ଜଣେ ମହିଳା ମହାତ୍ମା ଗାନ୍ଧି ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟକୁ ପ୍ରସବ ପାଇଁ ଯାଇଥିଲେ । ଡିସେମ୍ବର ୧୧ ତାରିଖରେ ତାଙ୍କର ଶିଶୁ ଜନ୍ମ ହୋଇଥିଲା । ଶିଶୁ ଜନ୍ମ ପରେ ଡାକ୍ତର ମହିଳାଙ୍କର ଏପିସିୟୋଟମି କରିଥିଲେ । ଏହି ସମୟରେ ମହିଳାଙ୍କ ଶରୀରରେ ଭଙ୍ଗା ଛୁଞ୍ଚି ରହିଯାଇଥିଲା ।

ମହିଳାଙ୍କ ଅଭିଯୋଗ ଅନୁସାରେ ଶିଶୁ ଜନ୍ମ ପରେ ଶିଶୁର କିଛି ସମସ୍ୟା ଥିବା ଦର୍ଶାଇ ତାକୁ ଅବଜରଭେସନରେ ରଖିବାକୁ କୁହାଯାଇଥିଲା । ପରିବାର ସଦସ୍ୟଙ୍କୁ ପିଲାକୁ ଦେଖିବାକୁ ଦିଆଯାଇ ନଥିଲା ।

ଶରୀରରେ ଛୁଞ୍ଚି ଥିବା କାରଣରୁ ମହିଳା କଷ୍ଟ ଅନୁଭବ କରୁଥିଲେ । ଏହା ପରେ ଏକ୍ସରେ ଦ୍ବାରା ଜଣାପଡ଼ିଥିଲା ଯେ, ମହିଳାଙ୍କର ପେରିନମରେ ଭଙ୍ଗା ଛୁଞ୍ଚି ରହିଯାଇଛି । ଡାକ୍ତର ପରିବାର ସଦସ୍ୟଙ୍କୁ ସୂଚନା ନ ଦେଇ କାଗଜପତ୍ରରେ ଦସ୍ତଖତ କରିନେଇଥିଲେ । ଏହା ପରେ ଚାଲିଥିଲା ୩ ଘଣ୍ଟାର ଅପରେସନ । ୩ ଘଣ୍ଟା ପରେ ବି ଅପରେସନ ସଫଳ ହୋଇନଥିଲା ।

ଏହା ପରେ ମହିଳାଙ୍କୁ ଅନ୍ୟ ଏକ ମେଡିକାଲକୁ ପରିବାର ସଦସ୍ୟ ନେଇଥିଲେ । ଏବେ ଯାଏ ମଧ୍ୟ ମହିଳାଙ୍କ ଶରୀରରେ ଛୁଞ୍ଚିଟି ରହିଛି ।

ଡାକ୍ତରଖାନା କର୍ତ୍ତୃପକ୍ଷ ଏହା ସ୍ବୀକାର ବି କରିଛନ୍ତି । ଡାକ୍ତରଙ୍କ ଅଜାଣତରେ ଛୁଞ୍ଚିଟି ଫସିଯାଇଥିବାରୁ ପରିବାର ନିକଟରେ କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନା କରିଛନ୍ତି । ଏ ନେଇ ପରିବାର ସଦସ୍ୟ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଦୀର୍ଘ ୭ ବର୍ଷ ପରେ ମହିଳାଙ୍କୁ ନ୍ୟାୟ ମିଳିଛି । କୋର୍ଟ ଡାକ୍ତରଖାନା ଉପରେ ୧୦ ଲକ୍ଷ ଟଙ୍କର ଜରିମାନା ଲଗାଇଛନ୍ତି ଏବଂ ମକଦ୍ଦମା ବାବଦରେ ୨ ଲକ୍ଷ ୨୫ ହଜାର ଟଙ୍କା ସହ ମୋଟ ୧୨ ଲକ୍ଷ ୨୫ ହଜାର ଟଙ୍କା ଦେବାକୁ ଆଦେଶ ଦେଇଛନ୍ତି ।