ତାମିଲନାଡୁର ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ
1 min read
ଚେନ୍ନାଇ: ତାମିଲନାଡୁର ଶିବକାଶୀରେ ବାଣ କାରଖାନାରେ ବିସ୍ଫୋରଣ । ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଭାରତର ବାଣ ହବ୍ ଭାବରେ ଜଣାଶୁଣା ଶିବକାଶୀ ସହରରେ ଏହି ଅଘଟଣ ଘଟିଛି। ବିରୁଧୁନଗର ଜିଲ୍ଲାର ଶିବକାଶୀ ନିକଟ ସେଙ୍ଗମାଲାପାଟ୍ଟିରେ ଅବସ୍ଥିତ ଏକ ଘରୋଇ ବାଣ ତିଆରି କାରଖାନା ୟୁନିଟରେ ବିସ୍ଫୋରଣ ଘଟିଛି।
ପୋଲିସ ଏବଂ ଅଗ୍ନିଶମ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ବିସ୍ଫୋରଣର କାରଣ ଏଯାଏଁ ଜଣାପଡିନାହିଁ । ବିସ୍ଫୋରଣ ସମୟରେ ୟୁନିଟରେ ପ୍ରାୟ ଦଶ ଜଣ କର୍ମଚାରୀ ଥିଲେ। ଏହି ଘଟଣାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମୃତ ଶ୍ରମିକଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ସମବେଦନା ଜଣାଇବା ସହ ନିର୍ବାଚନ ଆୟୋଗଙ୍କ ଅନୁମୋଦନ କ୍ରମେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।
ସେ X ରେ ପୋଷ୍ଟ କରି କହିଛନ୍ତି, “ମୁଁ ତୁରନ୍ତ ବିରୁଧୁନଗର ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ତ୍ୱରିତ ଉଦ୍ଧାର କାର୍ଯ୍ୟ ପାଇଁ ଏବଂ ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ନିମନ୍ତେ ନିର୍ଦ୍ଦେଶ ମଧ୍ୟ ଦେଇଛି।”