ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ଗୁଳି ଫୁଟାଇ ପତିଆରା ଜାହିର କଲେ ତାଲିବାନୀ

କାବୁଲ: ଆଫଗାନିସ୍ତାନରେ ପ୍ରତିଷ୍ଠା ହେଲା ତାଲିବାନରାଜ୍। ହାହାକାର ଓ ଆର୍ତ୍ତନାଦ ଭିତରେ ଶୁଭିଲା ତାଲିବାନୀଙ୍କ ଗୁଳିର ଶବ୍ଦ। ଆଫଗାନିସ୍ତାନର ଛକ ଛକରେ ବନ୍ଧୁକ ଧରି ତାଲିବାନୀ ଆକାଶକୁ ଚାହିଁ ଫୁଠାଇଲେ ଗୁଳି। ତାଲିବାନୀଙ୍କ ବାରୁଦର ନିଆଁ ଆଲୋକିତ ହେଉଥିଲା ରାସ୍ତାଘାଟ। ବିଭିନ୍ନ ସ୍ଥାନରେ ଉତ୍ସବ ପାଳିଛନ୍ତି ତାଲିବାନ। ଲୋକଙ୍କ ରକ୍ତରେ ହୋରି ଖେଳୁଥିବା ଆତଙ୍କବାଦୀ ବାଣ ଓ ଗୁଳି ଫୁଟାଇ ମନାଇଛନ୍ତି ଉତ୍ସବ। ପୂର୍ଣ୍ଣ ସ୍ୱାଧୀନତା ହାସଲ ହେବା ନାରା ଦେଇ ତାଲିବାନୀ ଏହି ଖୁସି ମନାଇଥିବା ଦେଖାଯାଇଥିଲା। ଶେଷ ପର୍ଯ୍ୟାୟ ସୈନ୍ୟଙ୍କୁ ନେଇ ଆମେରିକାର ବିମାନ ଉଡାଣ ଆରମ୍ଭ କରିବା ମାତ୍ରେ ତାଲିବାନର କର୍ମୀମାନେ ଖୁସିରେ ବାଣ ଓ ଗୁଳି ଫୁଟାଇଥିଲେ।

୨୦ ବର୍ଷର ଆମେରିକା ମିଶନ ଶେଷ ହେବା ସହ ନାଟୋ ସୈନ୍ୟ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହୋଇଯିବା ପରେ ଏକକ ବାଦଶାହ ସାଜିଛି ତାଲିବାନ। ହଜାର ହଜାର ଲୋକ ଜୀବନ ବିକଳରେ ଦେଶ ଛାଡିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବେଳେ, ହାହାକାର ଅବସ୍ଥାରେ କାଟୁଛନ୍ତି ଲକ୍ଷ ଲକ୍ଷ ନାଗରିକ। ସମସ୍ତଙ୍କ ଉପରେ ଝୁଲୁଛି ତାଲିବାନୀ ଖଣ୍ଡା। କାବୁଲ ବିମାନ ବନ୍ଦରରେ ଅନ୍ଧାର ଭବିଷ୍ୟତ ମଧ୍ୟରେ ରହିଥିବା ସହସ୍ରାଧିକ ନାଗରିକଙ୍କ ଶୁଭୁଛି ଆର୍ତ୍ତନାଦ।

ତାଲିବାନର ଅଟ୍ଟହାସ୍ୟ ସମସ୍ତଙ୍କୁ ଠେଲିଦେଇଛି ଭୟ ଓ ଆଶଙ୍କାର ଅନିଶ୍ଚିତ ବଳୟ ଭିତରକୁ। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, କାବୁଲରୁ ଆମେରିକାର ଶେଷ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର ପରେ ଦେଶରେ ତାଲିବାନ ପୂର୍ଣ୍ଣ ଅଧିକାର ସାବ୍ୟସ୍ତ କରିଛି। ତାଲିବାନର ନିର୍ଯାତନା ଭୟରେ ୫୦ ଲକ୍ଷ ଲୋକ ଦେଶ ଛାଡିବା ଲାଗି ଚେଷ୍ଟା ଚଳାଇଥିବା ବେଳେ ବନ୍ଧୁକ ମୁନରେ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବା ସ୍ପଷ୍ଟ ହୋଇଛି।

ଅଜଣା ଭବିଷ୍ୟତରେ ଏବେ ବିଭିନ୍ନ ସ୍ଥାନରେ ଛଟପଟ ହଜାର ହଜାର ନାଗରିକ। ଶିଶୁମାନଙ୍କ ଅବସ୍ଥା କହିଲେ ନସରେ। ଖାଦ୍ୟ ଓ ପାନୀୟ ବିନା ହାହାକାର ସ୍ଥିତି ସତ୍ତ୍ୱେ ତାଲିବାନ ରହିଛି ନିର୍ବିକାର। ଅନେକ ନିରୀହ ଲୋକଙ୍କୁ ହତ୍ୟା କରାଯାଉଥିବା ଖବର ତଥା ଅନେକ ସ୍ଥାନରୁ ମୃତଦେହ ମିଳିବା ଦୃଶ୍ୟ ଦେଖି ଲୋକମାନେ ଶିହରି ଉଠୁଛନ୍ତି।

Leave a Reply