ପୁଣି ପଦାକୁ ଆସିଲା ତାଲିବାନୀ ବର୍ବରତା, ଷ୍ଟାଡିଅମରେ ସର୍ବସମ୍ମୁଖରେ ଅଭିଯୁକ୍ତ ୯ ଜଣଙ୍କୁ ଅମାନୁଷିକ ଦଣ୍ଡ

କାବୁଲ: ପୁଣି ପଦାକୁ ଆସିଲା ତାଲିବାନୀ ବର୍ବରତା । ଚୋରି ଅଭିଯୋଗରେ ଚାରି ଜଣଙ୍କ ହାତ କାଟିଦେଲା ତାଲିବାନ । କାନ୍ଦାହାରସ୍ଥିତ ଅହମ୍ମଦ ଶାହୀ ଷ୍ଟାଡିୟମରେ ସର୍ବସମ୍ମୁଖରେ ଘଟିଛି ଘଟଣା । ଚୋରି ତଥା ଯୌନଗତ ଅଭିଯୋଗ କ୍ରମେ ୯ ଜଣଙ୍କୁ ଷ୍ଟାଡିୟମରେ ଦଣ୍ଡ ଦିଆଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ହାତ କାଟିଦିଆଯାଇଛି । ଅଭିଯୁକ୍ତମାନଙ୍କୁ ୩୫ରୁ ୩୯ ଥର ଲେଖାଁଏ ଆଘାତ କରାଯାଇଥିଲା ବୋଲି କହିଛନ୍ତି ଗଭର୍ଣ୍ଣରଙ୍କ ମୁଖପାତ୍ର ହାଜି ଜୈଦ । ତାଲିବାନ ଶାସନ ପରଠାରୁ ଦେଶରେ ସର୍ବସମ୍ମୁଖରେ ଏହି ଧରଣର ବର୍ବରତା ପ୍ରକାଶ ପାଉଛି ବୋଲି ବିଭିନ୍ନ ମହଲରୁ କୁହାଯାଇଛି ।

ତଥାକଥିତ ସୁପ୍ରିମ ଲିଡରଙ୍କ ନିର୍ଦ୍ଦେଶରେ ଦେଶରେ ବିଭିନ୍ନ ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ନିର୍ଯାତନା ଓ ଏପରିକି ମୃତ୍ୟୁଦଣ୍ଡ ଦିଆଯାଉଥିବାରୁ ଆତଙ୍କ ପ୍ରକାଶ ପାଇଛି । ଗତବର୍ଷ ନଭେମ୍ବର ପରଠାରୁ ଦେଶରେ ଉଭୟ ୧୦୦ ମହିଳା ଓ ପୁରୁଷଙ୍କୁ ଏପରି ଦଣ୍ଡ ଦିଆଯାଇଥିବା ସୂଚନା ମିଳିଛି । ଚୋରି, ସାମାଜିକ ନିୟମ ଉଲ୍ଲଂଘନ, ଅନୈତିକ ସମ୍ପର୍କ ଆଦି କାରଣକୁ ନେଇ ଏହି ଦଣ୍ଡ ଦିଆଯାଉଥିବା କୁହାଯାଇଛି । ଗତ ଅଗଷ୍ଟ ୨୦୨୧ରେ ତାଲିବାନ କ୍ଷମତାକୁ ଆସିବା ପରେ ପ୍ରଥମ ଥର ଲାଗି ଗତବର୍ଷ ଡିସେମ୍ବର ୭ ତାରିଖରେ ଫାରା ସିଟିରେ ଜଣେ ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।