ପାକିସ୍ତାନ ବିରୋଧୀ ରାଲି ଉପରେ ତାଲିବାନର ଗୁଳିମାଡ଼

1 min read
Taliban Open Fire On Protester Against Pakistan In Kabul

କାବୁଲ: ପୁଣି କାବୁଲରେ ଫୁଟିଲା ତାଲିବାନୀ ଗୁଳି । ଆଫଗାନିସ୍ତାନ ବ୍ୟାପାରରେ ପାକିସ୍ତାନର ହସ୍ତକ୍ଷେପକୁ ବିରୋଧ କରି ଆୟୋଜିତ ରାଲି ଉପରେ ତାଲିବାନ ଗୁଳିମାଡ଼ କରିଛି । ଶତାଧିକ ଆନ୍ଦୋଳନକାରୀ ପାକିସ୍ତାନ ବିରୋଧରେ ସ୍ଲୋଗାନବାଜି କରୁଥିବାବେଳେ ସେମାନଙ୍କ ଉପରକୁ ଗୁଳିମାଡ଼ କରିଛି ତାଲିବାନ । କାବୁଲସ୍ଥିତ ପାକିସ୍ତାନ ଦୂତାବାସ ସମ୍ମୁଖରେ ବିକ୍ଷୋଭ ବେଳେ ଗୁଳିଚାଳନା କରାଯାଇଛି । ସେପଟେ ପଞ୍ଜଶିରର ବିଭିନ୍ନ ତାଲିବାନୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ ହୋଇଛି । ଏହି ଏୟାର ଷ୍ଟ୍ରାଇକ ଲାଗି କେହି ନିଜକୁ ଦାୟୀ କରି ନଥିବାବେଳେ ଅନେକ ଆତଙ୍କବାଦୀ ପ୍ରାଣ ହରାଇଥିବା କୁହାଯାଇଛି ।

ପଞ୍ଜଶିର ବିଜୟ ନେଇ ବିଧିବଦ୍ଧ ଘୋଷଣା କରିଛି ତାଲିବାନ । ଗତକାଲି ପଞ୍ଜଶିର ଗଭର୍ଣ୍ଣର କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ତାଲିବାନୀ ପତାକା ଉଡ଼ିବା ପରେ ଆଜି ପଞ୍ଜଶିରରେ ତାଲିବାନ ଆଧିପତ୍ୟ ବିସ୍ତାର କରିଛି । ଦେଶର ସମସ୍ତ ପ୍ରଜାତନ୍ତ୍ର ଏବେ ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଛି । ପଞ୍ଜଶିର କବଜା କରିବା ଘଟଣାରେ ପାକିସ୍ତାନର ଭୂମିକା ନେଇ ତୀବ୍ର ବିରୋଧ କରିଛି ଇରାନ । କୌଣସି ଏକ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ପାକିସ୍ତାନର ହସ୍ତକ୍ଷେପ କାହିଁକି ବୋଲି ଇରାନ ପ୍ରଶ୍ନ କରିଛି ।

ଗତକାଲି ପଞ୍ଜଶିରରେ ପାକିସ୍ତାନ ସିଧାସଳଖ ବାୟୁସେନା ଜରିଆରେ ହମଲା କରିଥିଲା । ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରିଛି ଇରାନ । ଇରାନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ସୟିଦ ଖାତିବଜାଦେ କହିଛନ୍ତି- ଆନ୍ତର୍ଜାତିକ ନିୟମ ଉଲ୍ଲଂଘନ କରି ପାକିସ୍ତାନ ଏହି ଆକ୍ରମଣ କରିଛି । ବିଦ୍ରୋହୀ ବାହିନୀର ମୁଖ୍ୟ କମାଣ୍ଡର ସାଲେହ ମହମ୍ମଦଙ୍କ ମୃତ୍ୟୁ ଘଟିଥିବାବେଳେ ତାଲିବାନକୁ ପାକିସ୍ତାନ ପୂର୍ଣ୍ଣ ସମର୍ଥନ ଦେବା ଯୋଗୁ ସଂଘର୍ଷର ସ୍ଥିତି ବଦଳି ଯାଇଥିଲା । ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଜିକିସ୍ତାନ ଚାଲି ଯାଇଛନ୍ତି ।

Leave a Reply