କାବୁଲ ଅକ୍ତିଆର ପରେ ରକ୍ତମୁଖା ତାଲିବାନୀ: ବିରୋଧର ସ୍ୱର ଉଠାଇଲେ କରୁଛନ୍ତି ଆକ୍ରମଣ

କାବୁଲ: ଆଫଗାନିସ୍ତାନ କବଜା ପରେ ରକ୍ତମୁଖା ହୋଇଛି ତାଲିବାନ୍ । ଯିଏ ବି ତାଲିବାନ ବିରୋଧରେ ସ୍ୱର ଉଠାଉଛି ତା’ ଉପରେ ହେଉଛି ଆକ୍ରମଣ । ଏଭିଳିକି କିଛି ପୂର୍ବତନ ସେନା ଅଧିକାରୀଙ୍କୁ ଖୋଜିବା ଆରମ୍ଭ କରିଛି ତାଲିବାନ୍ । ଏ ନେଇ ଘର ଘର ବୁଲି ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ୍ । ତାଲିବାନର ବର୍ବରତା ବିରୋଧରେ ଦେଶରେ ସ୍ୱର ଉଠାଇଲେଣି ହଜାର ହଜାର ମହିଳା । ତାଲିବାନଙ୍କ ଶାସନକୁ ବିରୋଧ କରି ରାସ୍ତାକୁ ଓହ୍ଲାଉଛନ୍ତି ମହିଳାମାନେ । ମାନବିକ, ଶିକ୍ଷା ଅଧିକାର ଲାଗି ମହିଳାମାନେ ଦାବି କରୁଥିବା ବେଳେ ସେମାନଙ୍କ ବିରୋଧରେ ଦମନଲୀଳା ଆରମ୍ଭ କରିଛି ତାଲିବାନ । ସେପଟେ ତାଲିବାନ ଡରରେ ଦେଶ ଛାଡୁଛନ୍ତି ହଜାର ହଜାର ନାଗରିକ । ଆତଙ୍କବାଦୀଙ୍କ ହାତରେ ମରିବା ଅପେକ୍ଷା ଦେଶଛାଡ଼ି ଚାଲିଯିବାକୁ ଚାହିଁଛନ୍ତି ଦେଶବାସୀ । କାତାର, ପାକିସ୍ତାନକୁ ପଳାୟନ କରିଛନ୍ତି ଶହ ଶହ ନାଗରିକ । ସେପଟେ ଆସନ୍ତା ଅଗଷ୍ଟ ୩୧ ପରେ ଦେଶରେ ଗଠନ ହୋଇପାରେ ନୂଆ ସରକାର । ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛି ତାଲିବାନ । ତେବେ ତାଲିବାନକୁ ଦେଶରୁ ହଟାଇବା ପାଇଁ ଅଣ୍ଟା ଭିଡିଛନ୍ତି ନିଜକୁ ରାଷ୍ଟ୍ରପତି ଘୋଷଣା କରିଥିବା ଉମରୁଲ୍ଲା ସାଲେହ । ପୂର୍ବତନ କିଛି ସେନା ଅଧିକାରୀ, ପୋଲିସ ଓ ଲୋକଙ୍କୁ ଏକଜୁଟ କରି ତାଲିବାନ ବିରୋଧରେ ମୋର୍ଚ୍ଚା ଖୋଲିବା ଆରମ୍ଭ କରିଛନ୍ତି ସାଲେହ ।

Leave a Reply