ଆଫଗାନିସ୍ତାନରେ ନିଷିଦ୍ଧ ହୋଇପାରେ ମହିଳା କ୍ରୀଡ଼ା: ସମଗ୍ର ଶରୀର ଆବୃତ ହୋଇପାରୁନଥିବାରୁ ନିଆଯାଇପାରେ ନିଷ୍ପତ୍ତି

କାବୁଲ: ଆଫଗାନିସ୍ତାନରେ ନିଷିଦ୍ଧ ହୋଇପାରେ ମହିଳା କ୍ରୀଡ଼ା । ମହିଳା କ୍ରିକେଟ ସମେତ ଅନ୍ୟାନ୍ୟ ଖେଳକୁ ନିଷିଦ୍ଧ କରିବା ଲାଗି ଯୋଜନା ପ୍ରସ୍ତୁତ । ଖୁବଶୀଘ୍ର ଏନେଇ ତାଲିବାନ ସରକାର ଘୋଷଣା କରିବେ ବୋଲି କହିଛନ୍ତି ସାଂସ୍କୃତିକ କମିଶନର ଉପମୁଖ୍ୟ ଅହମ୍ମଦୁଲ୍ଲା ଓ୍ୱାସିକ୍ । ସେ କହିଛନ୍ତି, କ୍ରିକେଟ ସମେତ ଅନ୍ୟାନ୍ୟ କ୍ରୀଡାରେ ମହିଳାଙ୍କ ମୁହଁ ଦିଶିବା ସହ ସମଗ୍ର ଶରୀର ଆବୃତ୍ତ ରହୁ ନଥିବାରୁ ଏହା ଇସଲାମ ଧର୍ମର ଅବମାନନା କରୁଛି । ଏଣୁ କ୍ରୀଡାକୁ ନିଷିଦ୍ଧ କରିବା ଲାଗି ସରକାର  ଚିନ୍ତା କରୁଛନ୍ତି । ବର୍ତ୍ତମାନ ମିଡିଆ ଯୁଗରେ ମହିଳା କ୍ରୀଡାବିତଙ୍କ ବିଭିନ୍ନ ଫଟୋ ଓ ଭିଡିଓ ନିଆଯିବ ଏବଂ ତାହାକୁ ଲୋକେ ଦେଖିବେ ।

ଇସଲାମ ଧର୍ମରେ ଏହା ନାହିଁ । ଇସଲାମ ଓ ଇସଲାମିକ ଏମିରେଟରେ କ୍ରିକେଟ ଓ ଅନ୍ୟାନ୍ୟ ଖେଳକୁ ଏଥିଲାଗି ଅନୁମତି ଦିଆଯିବ ନାହିଁ । ଗତମାସରେ ଓ୍ୱାସିକ କହିଥିଲେ ପୁରୁଷ କ୍ରିକେଟ ଟିମକୁ ଖେଳିବା ଲାଗି ଅନୁମତି ଦିଆଯିବ । ଆସନ୍ତା ନଭେମ୍ବରରେ ଆଫଗାନ ଟିମ୍ ଏକ ଟେଷ୍ଟ ମ୍ୟାଚ ଲାଗି ଅଷ୍ଟ୍ରେଲିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି ଯଦି ମହିଳା କ୍ରୀଡାକୁ ନିଷିଦ୍ଧ ଲାଗି ତାଲିବାନର ଯୋଜନା ସତ ହୋଇଥାଏ ତେବେ ଟେଷ୍ଟ ମ୍ୟାଚ ଯୋଜନା ବାତିଲ ହୋଇପାରେ । ଉଭୟ ମହିଳା ଓ ପୁରୁଷ କ୍ରିକେଟ ଲାଗି ବେଶ୍ ପ୍ରୋତ୍ସାହନ ଯୋଗାଇ ଆସୁଛି ଅଷ୍ଟ୍ରେଲିଆ । ବିଶେଷ କରି ମହିଳା କ୍ରିକେଟର ପ୍ରସାର ଯେପରି ସାରା ବିଶ୍ୱରେ ହୋଇପାରିବ ସେଥିଲାଗି ଅଷ୍ଟ୍ରେଲିଆ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଆସୁଛି । ଯଦି ଆଫଗାନିସ୍ତାନ ସରକାର ମହିଳା କ୍ରିକେଟକୁ ନିଷିଦ୍ଧ କରେ ତେବେ ଅଷ୍ଟ୍ରେଲିଆ ଭିନ୍ନ ନିଷ୍ପତ୍ତି ନେଇପାରେ । ମହିଳା କ୍ରିକେଟ ନେଇ ତାଲିବାନ ସରକାରର ସମ୍ଭାବ୍ୟ ନିଷ୍ପତ୍ତି ଅତି ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଅଷ୍ଟ୍ରେଲିଆ କ୍ରୀଡ଼ାମନ୍ତ୍ରୀ ରିଚାର୍ଡ କୋଲବେକ । ତାଲିବାନର ଏହି ନିଷ୍ପତ୍ତି ଗ୍ରହଣୀୟ ହୋଇପାରିବ ନାହିଁ । ଏହା ବିରୋଧରେ ଆନ୍ତର୍ଜାତିକ କ୍ରିକେଟ ପରିଷଦ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଭାରତୀୟ ଖେଳାଳିଙ୍କ ଆରଟିପିସିଆର ରିପୋର୍ଟ ନେଗେଟିଭ୍: ମ୍ୟାଚ୍ ଖେଳିବାକୁ ଅନିଚ୍ଛା ପ୍ରକାଶ କଲେ ଖେଳାଳି

Leave a Reply