spot_img

Latest Posts

ଆଫଗାନିସ୍ତାନରେ ସର୍ବୋଚ୍ଚ ଶାସକ ହେବେ ମୁଲ୍ଲା ମହମ୍ମଦ ହାସନ ଅଖୁଁଦଜାଦ

କାବୁଲ: ଆଫଗାନିସ୍ତାନରେ ସରକାର ଗଠନ ନେଇ ଶେଷ ହେଲା ପ୍ରକ୍ରିୟା। ମୁଲ୍ଲା ମହମ୍ମଦ ହାସନ ଅଖୁଁଦ ହେବେ ଦେଶର ସର୍ବୋଚ୍ଚ ଶାସକ। ମୁଲ୍ଲା ବାରଦାର ଓ ମୁଲ୍ଲା ଅବଦୁଲ ସଲାମ ରହିବେ ତାଙ୍କର ଦୁଇ ଜଣ ଡେପୁଟି। ଅଖୁଁଦଜାଦଙ୍କ ମୁଖପାତ୍ର ରହିବେ ଜବିଉଲ୍ଲା ମୁଜାହିଦ୍ଦିନ। ତାଲିବାନର ଶକ୍ତିଶାଳୀ ନିଷ୍ପତ୍ତି ନିର୍ଦ୍ଧାରକ କମିଟି ବା ରେହବାରୀ ଶୁରାର ନେତୃତ୍ୱ ନେଉଛନ୍ତି ଅଖୁଁଦଜାଦ। ଦେଶରେ ଆଭ୍ୟନ୍ତରୀଣ ମନ୍ତ୍ରୀ ହେବେ ହକାନି ନେଟଓ୍ୱର୍କର ନେତା ସିରାଜଉଦିନ ହକାନି। ସମସ୍ତ ଗଭର୍ଣ୍ଣରଙ୍କୁ ସେ ମନୋନୀତ କରିବେ।

ହକାନି ନେଟଓ୍ୱର୍କକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ନେଇ ଗତ ସପ୍ତାହରେ ପାକିସ୍ତାନ ଆଇଏସଆଇ ମୁଖ୍ୟ ହମିଦ ଫୈଜ କାବୁଲରେ ଡେରା ପକାଇଥିଲେ। ଏପରିକି ପାକିସ୍ତାନର ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଦେଶରେ ସରକାର ଗଠନ ପ୍ରକ୍ରିୟା ଚୂଡାନ୍ତ ହୋଇଛି। ହକାନି ନେଟଓ୍ୱର୍କକୁ ଗୁରୁତ୍ୱପୂର୍ଣ୍ଣ ପଦ ମିଳିବା ପରେ ଚିନ୍ତିତ ଜାତିସଂଘ ଓ ଆମେରିକା। କାରଣ ଟ୍ରେଡ ଟାଓ୍ୱାର ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଅଲ କାଏଦା ସଂଗଠନର ଘନିଷ୍ଠ ସହଯୋଗୀ ହେଉଛି ହକାନି ନେଟଓ୍ୱର୍କ।

ଏହି ସଂଗଠନକୁ ବି ଜାତିସଂଘ ଓ ଆମେରିକା ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛନ୍ତି। ସେହିପରି ଦେଶର ବୈଦେଶିକ ମନ୍ତ୍ରୀ ହେବେ ମୁଲ୍ଲା ଆମିର ଖାଁ ମୁଟ୍ଟାକି। କିନ୍ତୁ ଏହି ସରକାର କାମଚଳା ବୋଲି ଘୋଷିତ ହେବ। ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଜିକସ୍ତାନ ଚାଲିଯାଇଥିବା ବେଳେ, ଅନ୍ୟତମ ବିଦ୍ରୋହୀ ନେତା ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ଏବେ ତାଲିବାନ ବିରୋଧରେ ସଂଘର୍ଷ ଜାରି ରହିଛି।

ଗତ ସପ୍ତାହରେ ଆଫଗାନିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଗୁଲବୁଦ୍ଦିନ ହେକ୍ ମାତିୟାରଙ୍କୁ ଆଇଏସଆଇ ମୁଖ୍ୟ ସାକ୍ଷାତ କରିଥିଲେ। ତେବେ ସେ ସରକାରରେ ସାମିଲେ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

Latest Posts

Don't Miss