ଉଦୟପୁର ହତ୍ୟା ମାମଲା: ହତ୍ୟା ସମର୍ଥନରେ ଇଣ୍ଟରନେଟରେ ପୋଷ୍ଟ କଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଇଣ୍ଟରନେଟ୍ ମିଡିଆ ପ୍ଲାଟଫର୍ମକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ନୋଟିସ୍ ଜାରି କରାଯାଇ ତାଗିଦ କରାଯାଇଛି  । ରାଜସ୍ଥାନର ଉଦୟପୁରରେ ଟେଲର କହ୍ନେୟା ଲାଲଙ୍କ ତାଲିବାନୀ ଷ୍ଟାଇଲରେ କରାଯାଇଥିବା ହତ୍ୟାକୁ ଉଚିତ କହୁଥିବା, ପ୍ରାଧାନ୍ୟ ଦେଉଥିବା ବିଷୟକୁ ଇଣ୍ଟରନେଟରୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉଦୟପୁର ଘଟଣା ପରେ କେନ୍ଦ୍ର ସରକାର ଇଣ୍ଟରନେଟ ମିଡିଆ ପ୍ଲାଟଫର୍ମ ଉପରେ ଲଗାତାର କଡ଼ା ନଜର ରଖିଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଏକ ନୋଟିସ୍ ଜାରି କରି ଇଣ୍ଟରନେଟ ମିଡିଆ ପ୍ଲାଟଫର୍ମରୁ ଉଦୟପୁରରେ ହୋଇଥିବା ନୃଶଂସ ହତ୍ୟାକୁ ପ୍ରାଧାନ୍ୟ ଦେବା ବା ଏହାକୁ ଉଚିତ କହୁଥିବା ସାମଗ୍ରୀକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ଥାନର ଉଦୟପୁରରେ ରହୁଥିବା ଟେଲର କହ୍ନେୟାଲାଲଙ୍କ କଥିତ ଏକ ବିବାଦୀୟ ଇଣ୍ଟରନେଟ ମିଡିଆ ପୋଷ୍ଟକୁ ନେଇ ମଙ୍ଗଳବାର ଦିନ ଦିପ୍ରହରେ ଦୁଇଜଣ ମୁସଲିମ ଯୁବକ ରିୟାଜ ଅଖତାରୀ ଏବଂ ଗେସ ମହମ୍ମଦ ଛୁରୀରେ ତାଙ୍କ ମୁଣ୍ଡ କାଟ କରି ହତ୍ୟା କରିଦେଇଥିଲେ  । ଏହାପରେ ମୁଣ୍ଡ କାଟିଥିବାର ସ୍ୱୀକାର କରି ଏହି ଅପରାଧର ଏକ ଭୟଙ୍କର ଭିଡିଓ ଇଣ୍ଟରନେଟ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ । ଏହି ହତ୍ୟାକୁ ନେଇ କିଛି ଲୋକ ସମର୍ଥନ କରୁଥିବାର ଦେଖାଯାଇଥିଲା । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ, ରାଜସ୍ଥାନର ଆତଙ୍କବାଦୀ ନିରୋଧୀ ସଂସ୍ଥା ଏଟିଏସ ଏବଂ ଏସଓଜି ମିଳିତ ସହଯୋଗରେ ମାମଲାର ଯାଞ୍ଚ କରାଯାଉଛି  ।