କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନଙ୍କର କବ୍ଜା ହେବାପରେ ବଦଳିଯାଇଛି ଆଫଗାନିସ୍ତାନର ରୂପରେଖ । ଗୋଟିଏ ଦେଶର ନିଜସ୍ବ ସ୍ବାଧୀନତା ଛଡାଇନେବା ପରେ ସତେ ଯେମିତି ପ୍ରାଣହୀନ ହୋଇପଡିଛି ଆଫଗାନିସ୍ଥାନ..ଏହାରି ଭିତରେ ଦେଖିବାକୁ ମିଳୁଛି ରାଜୁତି କରୁଥିବା ତାଲିବାନିଙ୍କ କ୍ରୁରତା । ଗୋଟିଏ ପରେ ଗୋଟିଏ ନୂଆ ନିୟମ ଲାଗୁ କରୁଛନ୍ତି ତାଲିବାନୀ..ଯାହାଫଳରେ କଟକଣା ଓ ଅତ୍ୟାଚାର ବଢିବାକୁ ଲାଗୁଛି । ବର୍ତମାନ ଆଫଗାନିସ୍ତାନର ଗଣମାଧ୍ୟମ ପାଇଁ ଏକ ନିୟମ ଲାଗୁ ହୋଇଛି । ଏହି ନିୟମ ଅନୁସାରେ କୌଣସି ବି ଗଣମାଧ୍ୟମ ଇସଲାମ ବିରୁଦ୍ଧରେ କିଛି ବି ରିପୋଟିଙ୍ଗ କରିପାରିବେ ନାହିଁ । ଏନେଇ ତାଲିବାନର ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟ ମିଡିଆ ସାମ୍ନାରେ ସମସ୍ତ ତଥ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ- ତାଲିବାନ ନେତୃତ୍ବର ମଧ୍ୟ କିଛି ବି ଆଲୋଚନା କରିବନି ଗଣମାଧ୍ୟମ ।

ହ୍ୟୁମାନ୍ ରାଇଟ୍ସ ଗୋଷ୍ଠୀର ଏସିଆର ସହଯୋଗୀ ନିର୍ଦ୍ଦେଶକ ପାଟ୍ରିସିଆ ଗୋସମାନ କହିଛନ୍ତି ଯେ ତାଲିବାନର ନୂତନ ଆଦେଶ ପରେ ଗଣମାଧ୍ୟମକୁ ବର୍ତ୍ତମାନ ସବୁ ପ୍ରସଙ୍ଗରେ ସନ୍ତୁଳିତ ରିପୋଟିଙ୍ଗ କରିବାକୁ ପଡିବ। ଯେତେପର୍ଯ୍ୟନ୍ତ ତାଲିବାନ ଅଧିକାରୀଙ୍କ ଅନୁମତି ନ ମିଳିଛି ସେତେ ପର୍ଯ୍ୟନ୍ତ ସେହି ପ୍ରସଙ୍ଗରେ କିଛି ପ୍ରକାରର ବି ଖବର ପ୍ରକାଶ ପାଇବ ନାହିଁ। ଅନ୍ୟପକ୍ଷରେ, ବର୍ତ୍ତମାନ ମହିଳା ସାମ୍ବାଦିକଙ୍କ କାମ ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ ଲଗାଯାଇଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ପରଠାରୁ ଏପର୍ଯ୍ୟନ୍ତ ୭୦୦୦ ସାମ୍ବାଦିକଙ୍କୁ କଏଦ କରାଯାଇଛି ।

ଆଫଗାନିସ୍ତାନ ମହିଳାମାନେ ତାଲିବାନ ଶାସନର ସବୁଠୁବଡ କଷ୍ଟ ଭୋଗୁଛନ୍ତି। ଏହି ନିୟମ ଅନୁଯାୟୀ, ମହିଳାମାନେ ସର୍ବସାଧାରଣରେ ଥଟ୍ଟାମଜା କରିପାରିବେ ନାହିଁ | ସେମାନଙ୍କୁ ଏକୁଟିଆ ବାହାରକୁ ଯିବାକୁ ମଧ୍ୟ ବାରଣ କରାଯାଇଛି। ନିଜକୁ ସମ୍ପୂର୍ଣ୍ଣ ଭାବେ ଘୋଡେଇ ରଖିବା ସେମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ମହିଳାମାନେ ସୁନ୍ଦରତା ପାଇଁ କିଛି ବି କସମେଟିକ ସାମଗ୍ରୀର ବ୍ୟବହାର କରିପାରିବେ ନାହିଁ| ଆହୁରି ମଧ୍ୟ, ମହିଳାମାନେ ପୁରୁଷଙ୍କ ସହ ହାତ ମିଳାଇ ପାରିବେ ନାହିଁ ଏବଂ ଅଧିକ ଜୋରରେ ହସି ପାରିବେ ନାହିଁ | ମହିଳାମାନେ ଟ୍ୟାକ୍ସିରେ ଯାଇପାରିବେ ନାହିଁ | ଏହା ବ୍ୟତୀତ ମହିଳାମାନଙ୍କ ପାଇଁ ବାଇକ୍, ସାଇକେଲ ଚଲାଇବା, କ୍ରୀଡା ଉପରେ ମଧ୍ୟ ନିଷେଧାଦେଶ ରହିଛି।

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ଗୋଟିଏ ପଟେ ସାଧାରଣ ନାଗରିକଙ୍କୁ ନିର୍ଯାତନା ଦେଉଛି। ଅନ୍ୟପକ୍ଷରେ ସେ ଭୟଙ୍କର ଅପରାଧୀଙ୍କୁ ଜେଲରୁ ମୁକ୍ତ କରୁଛି.. ତାଲିବାନ ଅନେକ ଅପରାଧୀଙ୍କୁ କାବୁଲର ଜେଲରୁ ମୁକ୍ତ କରିଛି। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ଏହି ଭୟଙ୍କର କଏଦୀମାନେ ସେମାନଙ୍କୁ ଦଣ୍ଡିତ କରିଥିବା ମହିଳା ବିଚାରପତିଙ୍କୁ ଖୋଜୁଛନ୍ତି। ଆଫଗାନିସ୍ତାନରେ ୨୦୦ ରୁ ଅଧିକ ମହିଳା ବିଚାରପତି ଅଛନ୍ତି ଯେଉଁମାନେ ଏହି ବନ୍ଦୀମାନଙ୍କଠାରୁ ଧମକପୂର୍ଣ୍ଣ ବାର୍ତ୍ତା ପ୍ରତ୍ୟେକ ଦିନ ପାଉଛନ୍ତି। ସେମାନଙ୍କୁ ପ୍ରତି ସମୟରେ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ କଠିନ ପରିସ୍ଥିତି ଦେଇ ଗତି କରିବାକୁ ପଡୁଛି ।

