ଭାରତକୁ ଚିଠି ଲେଖିଲା ତାଲିବାନ; ଆଫଗାନିସ୍ତାନକୁ ବିମାନ ଉଡାଣ ଲାଗି କଲା ଅନୁରୋଧ

1 min read

କାବୁଲ: ପ୍ରଥମ ଥର ଲାଗି ଭାରତକୁ ଅନୁରୋଧ କରିଛି ତାଲିବାନ। ଆଫଗାନିସ୍ତାନ ସହ ବିମାନ ସେବା ଆରମ୍ଭ କରିବା ଲାଗି ଡିଜିସିଏଙ୍କୁ ଲେଖିଲା ଚିଠି । ଆଫଗାନିସ୍ତାନରେ ତାଲିବାନ ଶାସନ ପରଠାରୁ ଦୁଇ ଦେଶ ମଧ୍ୟରେ ବିମାନ ସେବା ବାତିଲ ରହିଛି ।
ଭାରତର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ଅରୁଣ କୁମାରଙ୍କ ନିକଟକୁ ଏସଂକ୍ରାନ୍ତରେ ପତ୍ର ଦେଇଛନ୍ତି ତାଲିବାନ ବିମାନ ଚଳାଚଳ ମନ୍ତ୍ରୀ ଅହ୍ଲାଜା ହମିଦୁଲ୍ଲା ଅଖୁନ୍ଦଜାଦା। ଏଥିସହ ଦୁଇ ଦେଶ ମଧ୍ୟରେ ବିମାନସେବା ଚାଲୁ କରିବାକୁ ଅନୁରୋଧ କରାଯାଇଛି ।

ସେହିପରି ଆଫଗାନ ମାଟିରେ ଆମେରିକୀୟ ଡ୍ରୋନ ଉଡିବନି ବୋଲି ଚେତାବନୀ ଦେଇଛି ତାଲିବାନ। ଡ୍ରୋନ ଜରିଆରେ ଯଦି ଆଫଗାନ ଆକାଶକୁ ଆମେରିକା ବ୍ୟବାହାର କରେ ତେବେ ପରିଣତି ଖରାପ ହେବ ବୋଲି କହିଛି ତାଲିବାନ । ଆଫଗାନ ଆକାଶକୁ କୌଣସି ପ୍ରକାର କାର୍ଯ୍ୟରେ ବ୍ୟବହାର ନ କରିବା ଲାଗି ତାଲିବାନ ଦେଇଥିବା ପୂର୍ବର ଚେତାବନୀକୁ ପୁଣି ଥରେ ଦୋହରାଇଛି ।

ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ଦ କହିଛନ୍ତି- ଆମେରିକାର କିଛି ଡ୍ରୋନ ଆଫଗାନିସ୍ତାନରେ ଉଡିବା ଦେଖାଯାଉଛି । ଏହାଦ୍ବାରା ଦେଶର ଜାତୀୟ ନିରାପତ୍ତାରେ ବ୍ୟାଘାତ ସୃଷ୍ଟି ହେଉଛି । ଭବିଷ୍ୟତରେ ଏହାକୁ ନେଇ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ନାହିଁ ସେଥିଲାଗି ଆମେରିକା ପଦକ୍ଷେପ ନେବା ଆବଶ୍ୟକ । ଇସଲାମିକ ଷ୍ଟେଟ ଅଫ ଆଫଗାନିସ୍ତାନ ପକ୍ଷରୁ କୁହାଯାଇଛି- ନିଜ ନିଜ ଦେଶର ସୀମାନ୍ତ ଅଞ୍ଚଳରେ ନିଜ ନିଜର ଅଧିକାର ରହିଛି । ଅନ୍ୟକାହାର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ । ଦୁଇ ଦଶନ୍ଧି ପରେ ଆଫଗାନ ମାଟିରୁ ଆମେରିକାର ବିଦାୟ ପରେ ଏବେ ତାଲିବାନ ସହ ଆମେରିକାର ସମ୍ପର୍କ ଆଦୌ ଅନୁକୂଳ ନାହିଁ ।

Leave a Reply