ପ୍ରଥମ ଫତଓ୍ୱା ଜାରି କଲା ତାଲିବାନ: ଏକାଠି ପଢ଼ିପାରିବେ ନାହିଁ ପୁଅ-ଝିଅ

ନୂଆଦିଲ୍ଲୀ:  ସାରା ବିଶ୍ୱ ଦେଖିଲା ତାଲିବାନ ଆତଙ୍କୀଙ୍କ ବର୍ବରତା  । ଏମାନଙ୍କ ପାଖରେ ବନ୍ଧା ପଡ଼ିଛି ନିରୀହ ଲୋକଙ୍କ ଜୀବନ । ନିଷ୍ଠୁରତାର ଚରମସୀମା ଅତିକ୍ରମ କରିଛନ୍ତି ଏମାନେ । ମହିଳାଙ୍କ ଅଧିକାର ଛଡ଼ାଇ ନେଇଥିବା ଭଳି ଅଭାବନୀୟ ଘଟଣା ଏଠାରେ ଦେଖିବାକୁ ମିଳିଛି । ମହିଳାଙ୍କ ବେଶ ପୋଷାକ ଯେମିତି ଏକ ବଡ଼ ଧରଣର ସମସ୍ୟା ତାଲିବାନୀଙ୍କ ପାଇଁ ସୃଷ୍ଟି କରିଛି ।    ଆଫଗାନିସ୍ତାନକୁ ଅଧିକାର କରିନେବା ପରେ  ପ୍ରଥମ ଫତଓ୍ୱା  ଜାରି କରିଛି ତାଲିବାନ । ବିଶ୍ୱ ବିଦ୍ୟାଳୟରେ ପୁଅ ଓ ଝିଅମାନେ ଏକାଠି ପାଠ ପଢିପାରିବେ ନାହିଁ ।

ଖାମା ପ୍ରେସ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁସାରେ ଆଫଗାନିସ୍ତାନର ହେରାତ ରାଜ୍ୟରେ ତାଲିବାନ ପକ୍ଷରୁ ଏହି ଫତଓ୍ୱା ଜାରି କରାଯାଇଛି । ଫତଓ୍ୱାରେ କୁହାଯାଇଛି ଯେ, ଶିକ୍ଷାନୁଷ୍ଠାନରେ ପୁଅ ଏବଂ  ଝିଅ ଏକାଠି ପାଠ ପଢିବା ସବୁ ‘ଅନର୍ଥର ମୂଳ’ । ଏହି ଫତଓ୍ୱା ଜାରି ହେବା ପୂର୍ବରୁ ରାଜ୍ୟର ସବୁ ବିଶ୍ୱ ବିଦ୍ୟାଳୟର ପ୍ରଫେସର, ଘରୋଇ ଶିକ୍ଷାନୁଷ୍ଠାନର ମୁଖ୍ୟ ଓ ତାଲିବାନ ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ବୈଠକରେ ଏହି ନିର୍ଦ୍ଦେଶ ସମ୍ପର୍କରେ ତାଲିବାନ ପକ୍ଷରୁ ଜଣାଇଦିଆଯାଇଥିଲା ।

ସୂଚନା ମୁତାବକ,  ଗତ ରବିବାର ତାଲିବାନ କାନ୍ଦାହାର ପରେ ପରେ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅଧିକାର କରିନେଇଥିଲା । ମଙ୍ଗଳବାର ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ, ସରିଆ କାନୁନ ଅଧିନରେ ମହିଳା ମାନଙ୍କୁ ପାଠ ପଢିବା ଓ କାମ କରିବାକୁ ସୁଯୋଗ ଦିଆଯିବ । କିନ୍ତୁ ଏବେ ଯେଉଁଭଳି ଭାବରେ ମହିଳାଙ୍କ ସହିତ ବ୍ୟବହାର କରିବା ଆରମ୍ଭ ହୋଇଛି, ଆଗାମୀ ଦିନରେ କ’ଣ ଘଟିବ ତାହା ଅନୁମାନ କରିବା ଅସମ୍ଭବ ।

Leave a Reply