କାବୁଲ ସୀମାରେ ପହଞ୍ଚିଲେ ତାଲିବାନୀ: ‘କୌଣସି ନାଗରିକ ଉପରେ ଆକ୍ରମଣ ହେବନାହିଁ’

1 min read

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର ସୀମାରେ ପହଞ୍ଚି ସାରିଛି ତାଲିବାନ । ତାଲିବାନ ରାଜଧାନୀ ଉପରେ ଶେଷ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ କାବୁଲର ନାଗରିକ ଆତଙ୍କ ଭିତରେ ଅଛନ୍ତି । କୁହାଯାଉଛି ଯେ, ଯେକୌଣସି ସମୟରେ ତାଲିବାନର ଆତଙ୍କବାଦୀ ରାଜଧାନୀ ଉପରେ ଆକ୍ରମଣ କରିପାରନ୍ତି । ସୂଚନାଯୋଗ୍ୟ ଯେ ଗତକାଲି ତାଲିବାନ ଜାବୁଲ, ଜଲାଲାବାଦକୁ ନିଜ ନିୟନ୍ତ୍ରଣକୁ ନେଇଥିଲା ।
ନ୍ୟୁଜ୍ ଏଜେନ୍ସି ଆସୋସିଏଟେଡ୍ ପ୍ରେସ୍ ଅନୁସାରେ ତାଲିବାନ ଯୋଦ୍ଧା ରାଜଧାନୀକୁ ଚାରିପଟୁ ଘେରି ସାରିଛନ୍ତି । ସେମାନେ ଧିରେ ଧିରେ ଆଗକୁ ବଢୁଛନ୍ତି । ତାଲିବାନ ଶାନ୍ତିପୂର୍ଣ୍ଣ ଭାବେ ରାଜଧାନୀ ଦଖଲ କଥା କହୁଛି । ଏହା ସହିତ ନାଗରିକଙ୍କୁ କୌଣସି ପ୍ରକାରର କ୍ଷତି ପହଞ୍ଚା ଯିବ ନାହିଁ ବୋଲି କହିଛି । ଏପି ଅନୁସାରେ ତାଲିବାନ ତା’ର ଯୋଦ୍ଧାଙ୍କୁ ସହର ବାହାରେ ଆଗାମୀ ଆଦେଶ ମିଳିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛି ।
କାବୁଲ ଗେଟ୍ ବାହାରେ ଅପେକ୍ଷା
ତାଲିବାନ ଯୋଦ୍ଧା କାବୁଲର ଦ୍ୱାର ବାହାରେ ଆଗାମୀ ଆଦେଶକୁ ଅପେକ୍ଷା କରୁଛନ୍ତି । ଆଦେଶ ମିଳିବା ମାତ୍ରେ ସେମାନେ ସହର ମଧ୍ୟକୁ ପ୍ରବେଶ କରିବେ । ଅନ୍ୟପକ୍ଷରେ ବ୍ଲୁମବର୍ଗର ରିପୋର୍ଟ ଅନୁସାରେ କାବୁଲ ଉପରେ ନିଜ ନିୟନ୍ତ୍ରଣ କଥା ଦାବି କରିଛି ରାଷ୍ଟ୍ରପତି ଅସରଫ ଘନିଙ୍କ ସରକାର । ରାଷ୍ଟ୍ରପତି ଭବନ ତରଫରୁ ଲୋକଙ୍କୁ ଚିନ୍ତା ନ କରିବାକୁ କୁହାଯାଇଛି ।

ଉତ୍ତର ଦେବୁ ନାହିଁ
ମିଡିଆ ରିପୋର୍ଟ ଅନୁସାରେ ତାଲିବାନ ନାଗରିକଙ୍କ ସୁରକ୍ଷା କଥା କହିଛି । କୌଣସି ନାଗରିକଙ୍କ ଉପରେ ଆକ୍ରମଣ ହେବ ନାହିଁ, ଏପରିକି ସରକାରୀ ସୈନିକଙ୍କ ଉପରେ ମଧ୍ୟ ଆକ୍ରମଣ ହେବ ନାହିଁ ବୋଲି ତାଲିବାନ ମୁଖପାତ୍ର କହିଛନ୍ତି । ତାଲିବାନ ସୈନିକଙ୍କୁ କ୍ଷମାଦାନ କଥା ମଧ୍ୟ କହିଛି । ଏହା ସହିତ ତାଲିବାନ ବେସାମରିକ ନାଗରିକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛି ।

ଆମେରିକା-ବ୍ରିଟିଶ ସୈନିକ ନାରାଜ
ତାଲିବାନ କାବୁଲ ଦ୍ୱାରଦେଶରେ ପହଞ୍ଚିବା ସହିତ ବ୍ରିଟିଶ ଓ ଆମେରିକା ସୈନିକଙ୍କ ଅସନ୍ତୋଷ ସାମ୍ନାକୁ ଆସିଛି । ଯେଉଁଭଳି ଭାବେ କାବୁଲକୁ ତାଲିବାନ ହାତରେ ଟେକି ଦିଆଯାଉଛି ତାକୁ ପ୍ରଶ୍ନ କରୁଛନ୍ତି ଏହି ଦୁଇ ଦେଶର ସୈନିକ । ସେମାନଙ୍କ ଅନୁସାରେ ଯଦି ଏଭଳି କରିବାର ଥିଲା ତେବେ ଏତେ ବର୍ଷ ପାଇଁ ଏତେ ସୈନିକଙ୍କ ବଳିଦାନ କାହିଁକି ଦିଆଗଲା ।

Leave a Reply