ପଞ୍ଜଶୀରରେ ଉଡିଲା ତାଲିବାନୀ ପତାକା, ସମ୍ପୂର୍ଣ୍ଣ କବଳିତ କରିଥିବା ଦାବି

କାବୁଲ: ଦୀର୍ଘ ଦିନର ବିଦ୍ରୋହ ଏବଂ ସଂଘର୍ଷ ପରେ ତାଲିବାନ ହାତକୁ ଚାଲିଯାଇଛି ପଞ୍ଜଶୀର । କିଛି ଦିନର ଲଢେଇ ପରେ ପରାଜୟ ବରଣ କରିଛନ୍ତି ବିଦ୍ରୋହୀ । ପଞ୍ଜଶୀର ଗଭର୍ଣ୍ଣର କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ଉଡିଛି ତାଲିବାନୀ ପତାକା । ତାଲିବାନ ମୁଖପାତ୍ର ଜୁବିଉଲ୍ଲା ମୁଜାହିଦ୍ଦ କହିଛନ୍ତି ପଞ୍ଜଶୀର ଏବେ ତାଲିବାନ କବଳକୁ ଯାଇଛି । ସଂଘର୍ଷରେ ବିଦ୍ରୋହୀ ବାହିନୀର ମୁଖ୍ୟ କମାଣ୍ଡର ସାଲେହ ମହମ୍ମଦଙ୍କ ମୃତ୍ୟୁ ଘଟିଛି । ଅନେକ ବିଦ୍ରୋହୀ ଏବେ ପଞ୍ଜଶୀର ଛାଡି ଚାଲିଯିବା ପରିଲକ୍ଷିତ ହୋଇଛି ।

ଏହି ସଂଘର୍ଷରେ ତାଲିବାନକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇଛି ପାକିସ୍ତାନ । ବିଦ୍ରୋହୀଙ୍କ ବିଭିନ୍ନ ଘାଟି ଉପରେ ପାକିସ୍ତାନ ବାୟୁସେନା ବିମାନ ପକ୍ଷରୁ ବୋମା ବର୍ଷଣ କରାଯାଇଛି । ଶାନ୍ତିପୂର୍ଣ୍ଣ ଆଲୋଚନାକୁ ଆସିବା ଲାଗି ତାଲିବାନକୁ ଆହ୍ବାନ ଦେଇଥିଲା ପଞ୍ଜଶୀର ବିଦ୍ରୋହୀ ବାହିନୀ । ସହମତି ଭିତ୍ତିରେ ଏହି ସଂଘର୍ଷର ଅବସାନ ଲାଗି ସଂଗଠନ ତାଲିବାନକୁ ପ୍ରସ୍ତାବ ଦେଇଥିଲେ ବିଦ୍ରୋହୀ ନେତା । ମାତ୍ର ଘମାଘୋଟ ଲଢେଇରେ ପଞ୍ଜଶୀରକୁ କବଜାକୁ ନେଇଛନ୍ତି ତାଲିବାନ ।

ସେପଟେ ତାଲିବାନ ସହ ସଂଘର୍ଷରେ ଅହମ୍ମଦ ମାସୁଦଙ୍କ ଘନିଷ୍ଠ ସହଯୋଗୀ, ବରିଷ୍ଠ ସାମ୍ବାଦିକ, ରାଜନୀତିଜ୍ଞ ତଥା ମୁଖପାତ୍ର ଫହିମ ଦାସ୍ତିଙ୍କ ମୃତ୍ୟୁ ଘଟିଛି । ଏହାସହ ଜେନରାଲ ସାହିବ ଅବଦୁଲ ଓ୍ବାଦୁଦ ଝୋର ମଧ୍ୟ ସଂଘର୍ଷରେ ପ୍ରାଣ ହରାଇଛନ୍ତି । ଗତକାଲି 700ରୁ ଅଧିକ ତାଲିବାନୀଙ୍କୁ ବିଦ୍ରୋହୀମାନେ ହତ୍ୟା କରିବା ପରେ ଯୁଦ୍ଧ ଅଧିକ ଘନୀଭୂତ ହୋଇଥିଲା ଏବଂ ତାଲିବାନୀମାନେ ଅଧିକ ସୈନ୍ୟ ସହ ଲଢେଇ ଜାରି ରଖିଥିଲେ । ସେପଟେ ଯୁଦ୍ଧରେ ତାଲିବାନକୁ ଖୋଲାଖୋଲି ସମର୍ଥନ ଦେଇଥିଲା ପାକିସ୍ତାନ । ପଞ୍ଜଶୀରକୁ କବଜା କରିବା ଲାଗି ପାକିସ୍ତାନ ପକ୍ଷରୁ ତାଲିବାନକୁ ସୈନ୍ୟ, ଅସ୍ତ୍ରଶସ୍ତ୍ର ଆଦି ସହାୟତା ଦିଆଯାଉଛି ।

Leave a Reply