ତାଲିବାନ ସରକାର ଗଠନ ଉତ୍ସବ ବାତିଲ

କାବୁଲ: ଫସର ଫାଟିଲା ସମସ୍ତ ଯୋଜନା । ବାତିଲ ହେଲା ତାଲିବାନ ସରକାରର ଶପଥ ଗ୍ରହଣ ଉତ୍ସବ । କାତାରର ଚାପରେ ଏହି ଉତ୍ସବ ବାତିଲ ହୋଇଥିବା ଜଣାପଡିଛି । ଆମେରିକା ଓ୍ୱାଲର୍ଡ ଟ୍ରେଡ ଟାଓ୍ୱାର ହମଲାର ୨୦ ବର୍ଷ ପୂର୍ତ୍ତି ଅବସରରେ ସରକାର ଶପଥ ନେବ ବୋଲି ପୂର୍ବରୁ ଗତ ୭ ତାରିଖରେ ତାଲିବାନ ଘୋଷଣା କରିଥିଲା । ସରକାର ଗଠନ ନେଇ ସହଯୋଗୀ ସଙ୍ଗଠନ ଗୁ଼ଡିକରୁ ପ୍ରବଳ ଚାପ ପଡ଼ିବା ପରେ ଏହି ସରକାର ଶପଥ ନେଇପାରିନାହିଁ । ପୁଣି କେବେ ଶପଥ ଗ୍ରହଣ ଉତ୍ସବ ହେବ ତାହା ବି ତାଲିବାନ ପକ୍ଷରୁ ଘୋଷଣା କରାଯାଇନାହିଁ । ଶପଥ ଗ୍ରହଣ ଉତ୍ସବରେ ଯୋଗଦେବ ନାହିଁ ବୋଲି ଦୋହା ଶାନ୍ତି ଆଲୋଚନା ଟିମକୁ ଋଷ କହିବା ପରେ ଏହି ଉତ୍ସବ ବାତିଲ ହେଲା ବୋଲି କୁହାଯାଉଛି । ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ଲାଗି ତାଲିବାନ ପକ୍ଷରୁ ଋଷ, ଚୀନ, ଇରାନ, ତୁର୍କୀ ଓ କାତାରକୁ ଆମନ୍ତ୍ରଣ କରାଯାଇଥିଲା ।

କିଛି ଦିନ ତଳେ ପଞ୍ଜଶିରରେ ପାକିସ୍ତାନର ଏୟାରଷ୍ଟ୍ରାଇକ ସହ ତାଲିବାନ ସରକାରକୁ ପାକିସ୍ତାନର ଖୋଲାଖୋଲି ସାମରିକ ସମର୍ଥନକୁ ଇରାନ ବିରୋଧ କରିଥିଲା ।  ପୂର୍ବରୁ ଏହି ଉତ୍ସବରେ ଯୋଗ ଦେବାଲାଗି ଋଷର ଉଚ୍ଚସଦନରେ ପ୍ରସ୍ତାବ ଗୃହିତ ହୋଇଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଥିଲା । ତାଲିବାନର ଗଡଫାଦର କାତାର ସରକାର ଉପରେ ଆମେରିକା ଓ ନାଟୋ ସଦସ୍ୟ ରାଷ୍ଟ୍ରର ପ୍ରବଳ ଚାପ ଯୋଗୁ ତାଲିବାନର ଆଶା ଧୂଳିସାତ ହୋଇଛି । ଯଦିଓ ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଥିଲେ, ଏହି ସରକାର ଏକ ସାମୟିକ ସରକାର ହେବ । ମାତ୍ର ପରିବର୍ତ୍ତିତ ରାଜନୀତିରେ ତାଙ୍କର ଏହି ଘୋଷଣା ଫସର ଫାଟିଛି ।

ସରକାରରେ ମହିଳା ଓ ସଂଖ୍ୟାଲଘୁଙ୍କ ପ୍ରତିନିଧିତ୍ୱ ନ ମିଳିବା ଯୋଗୁ ଅନେକ ରାଷ୍ଟ୍ର ଏହାକୁ ବିରୋଧ କରିଥିଲେ । ସେପଟେ ଆମେରିକା କହିଛି ତାଲିବାନର ଗତିବିଧି ନେଇ କଡା ନଜର ରଖାଯାଇଛି । ବିଭିନ୍ନ ମାର୍ଗରେ ତାଲିବାନ ଉପରେ ଚାପ ସୃଷ୍ଟି କରାଯାଉଛି । ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ଜେଦ୍ ତରାରା କହିଛନ୍ତି ବିଭିନ୍ନ ରାଜନୈତିକ ଓ ଆର୍ଥିକ ଚାପ ଜରିଆରେ ତାଲିବାନ ସରକାର ଉପରେ ଆମେରିକା ଚାପ ପ୍ରୟୋଗ କରୁଛି । ତାଲିବାନ କ୍ୟାବିନେଟରେ ଆତଙ୍କବାଦୀ ଘୋଷିତ କିଛି ଲୋକଙ୍କୁ ମନ୍ତ୍ରୀ କରାଯାଇଥିବାରୁ ଏହା ଆମେରିକା ସମେତ କିଛି ରାଷ୍ଟ୍ର ଲାଗି ଚିନ୍ତାର କାରଣ ପାଲଟିଛି ବୋଲି ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମହିଳାଙ୍କ କାମ କେବଳ ଛୁଆ ଜନ୍ମ କରିବା, କେବେ ମନ୍ତ୍ରୀ ହୋଇ ପାରିବେନି: ତାଲିବାନ

Leave a Reply