ବଲିଉଡ ଓ ହଲିଉଡରେ ଓଡ଼ିଆ ଅଭିନେତାଙ୍କ ଦବଦବା

ଭୁବନେଶ୍ବର : ସ୍ୱପ୍ନ ବହୁତ ବଡ଼ ଥିଲା, ମାତ୍ର ସାକାର କରିବାକୁ ସମ୍ବଳ ସେତିକି ନଥିଲା । ଜଣା ନଥିଲା ‘’ସ୍ୱପ୍ନରୁ ବାସ୍ତବତା’’ର ସୂତ୍ର । ଆକାଶ ଉଚ୍ଚା ସ୍ୱପ୍ନକୁ ଛୁଇଁବା ପାଇଁ କଣ କରିହେବ, ନକରିହେବ ସେଇ ଚିନ୍ତାରେ ଘାଣ୍ଟି ହେବା ବିନା ଅନ୍ୟ ଉପାୟ ନଥିଲା । ମାତ୍ର ଏତେ ଉଡ଼ାଣଖୋର ଅଭିଳାଷଟା ଅଧୁରା ବା ରହିଯାଇଥାନ୍ତା କେମିତି ? ପ୍ରଚଳିତ ରୁଢ଼ି ‘’ଇଛାଥିଲେ ଉପାୟ ଆପେଆପେ ଆସେ’’ ମନେ ଥିଲା । ତାକୁ ହିଁ କଲେ ସମ୍ବଳ, ବଢ଼ିଲା ଆତ୍ମବିଶ୍ୱାସ । ନିଜ ସ୍ୱପ୍ନକୁ ହାତମୁଠାରେ ଧରିବା ପାଇଁ କୌଣସି ଉଦ୍ୟମ ବାଦ୍ ଦେଲେନି । ଛୋଟଛୋଟ କଥାର ଯତ୍ନ ନେଲେ, ଦିନରାତି ଏକ କରି ନିଜ ପାଇଁ ବାହାର କଲେ ସ୍ପେଶ୍…। ଆଉ ଶେଷରେ ସ୍ୱପ୍ନ ହେଲା ସାକାର । ସଂଘର୍ଷ ଓ ସଫଳତାର ଏ କାହାଣୀ ବଲିଉଡ ଅଭିନେତା ଭାବେ ବେଶ୍ ନାଁ କମାଇଥିବା ଓଡ଼ିଆ ଯୁବକ ପୀତବାସ ତ୍ରିପାଠୀଙ୍କର । ପୀତବାସ ଖୁବ୍ ଗୁଡ଼ାଏ ଚର୍ଚ୍ଚିତ ଫିଲ୍ମ ଭେଟିଦେଇ କେବଳ ଫୋକସକୁ ଆସିନାହାନ୍ତି, ନିଜର ନିଆରା ଅଭିନୟ ପାଇଁ ଅଳ୍ପଦିନରେ ଅନେକଙ୍କ ଫେଭରିଟ୍ ବନିପାରିଛନ୍ତି । ବେଗମ୍ ଜାନରେ ୧୧ ମହିଳାଙ୍କ ସହ ବେଶ୍ୟାଳୟର କେୟାରଟେକର ହେଉ ଅଥବା ସୋର ଅଫ ଦି ସିଟିର ଷ୍ଟ୍ରଗଲିଂ ମେଟ୍ରୋ ଲାଇଫ୍… ସବୁଠି ପୀତବାସଙ୍କ ଆକ୍ଟିଂର ନିଆରା ଛାପ ।

ନୟାଗଡ଼ ଦେଉଳିରୁ ହଲିଉଡ୍, ମନ୍ଦିରମାଳିନୀ ସହରରୁ ମାୟାନଗରୀ…ହାଇ ଅର୍ଡର ଟାଲେଣ୍ଟ ବିନା ଏମିତି ଲମ୍ବା ଯାତ୍ରା ଏତେ କମ୍ ସମୟ ଭିତରେ ସମ୍ଭବ ହୋଇପାରି ନଥାନ୍ତା । ଅଥବା ପୀତବାସଙ୍କ ଭିତରେ ଦର୍ଶକ ନଓ୍ୱାଜଉଦ୍ଦିନ୍ ସିଦ୍ଦିକ, ଇରଫାନ୍ ଖାନ୍ ବା ମନୋଜ ବାଜପେୟୀଙ୍କୁ ଦେଖିପାରି ନଥାନ୍ତେ । କମେଡିଠୁ ନେଇ ଟ୍ରେଜେଡି, ଗରିବୀଠୁ ନେଇ ଗ୍ୟାଙ୍ଗଓ୍ୱାର… ସବୁରେ ଜୀବନ୍ତ ଅଭିନୟ । ପୀତବାସଙ୍କ ଏ ସଫଳ ଯାତ୍ରା ପାଇଁ ତାଙ୍କୁ କମ୍ ସଂଘର୍ଷ କରିବାକୁ ପଡ଼ିନି ! ନା ଥିଲା କଷ୍ଟ୍ୟୁମ୍ କିଣିବା ପାଇଁ ଟଙ୍କା, ନା ଥିଲା ପୋଗ୍ରାମ ଭେନ୍ୟୁରେ ପହଞ୍ଚିବା ପାଇଁ ପକେଟ ଖର୍ଚ୍ଚ । ଏପରିକି ଚନ୍ଦ୍ରଶେଖରପୁରରେ ବୁଲିବୁଲି ପିଲାଙ୍କୁ ଡ୍ୟାନ୍ସ ଶିଖାଇବା, ପଢ଼ିବା ବେଳେ ଥିଏଟରରେ ଆକ୍ଟିଂ କରିବା, କେଉଁ ପଥପ୍ରାନ୍ତ ନାଟକ ଅଥବା ସର୍ଟ ବିଜ୍ଞାପନ ଫିଲ୍ମରେ ଅଭିନୟ ଏବଂ ଅଧିକାଂଶ ବେଳେ ବିନା ପାରିଶ୍ରମିକରେ କାମ… । ଏସବୁ କରୁଥିଲେ କେବଳ ନିଜ ମୁହଁଟିକୁ ପରିଚିତ କରାଇବା ପାଇଁ । ଏପରିକି ରିତିକ୍ ରୋଷନଙ୍କ ‘ଏକ ପଲ୍ କା ଜିନା’ ଗୀତର କ୍ୟାସେଟ (୫୫ ଟଙ୍କା) ଓ  କଷ୍ଟ୍ୟୁମ୍ (୫୦୦ ଟଙ୍କା) କିଣିବା ପାଇଁ ପଇସା ନିମନ୍ତେ ଘରୁ ମାଡ଼ଗାଳି ଖାଇବା ପରି ଘଟଣା ବି ଘଟିଥିଲା ତାଙ୍କ ଜୀବନରେ ।

ୟା ଭିତରେ ପୀତବାସ ଖୁବ୍ ଗୁଡ଼ାଏ ହିଟ୍ ମୁଭି ଭେଟିଦେଇଛନ୍ତି । ଥ୍ରୀ ଇଡିୟଟ, ଆଇ ଆମ୍ କଲାମ, ମିର୍ଚ୍ଚି, ବେଗମ୍ ଜାନ୍, ସୋର୍ ଇନ୍ ଦ ସିଟି, ସ୍କ୍ରୁ ଡ୍ରାଇଭର, ଗୋ ଦୋଆ ଗନ୍, ମମ୍, ଟୋଟାଲ ଧମାଲ ଆଦି ବଲିଉଡ ଫିଲ୍ମ କରି ଖୁବ୍ କମ ଦିନରେ ନାଁ କମେଇଛନ୍ତି । ଏହି ଓଡ଼ିଆ ଅଭିନେତା ଜଣକ ଦୁଇବର୍ଷ ତଳେ ପାଦ ଥାପିଥିଲେ ହଲିଉଡରେ । ମିଲିଅନ୍ ଡଲାର ଆର୍ମ ଫିଲ୍ମରେ ଅଭିନୟ କରି ନିଜକୁ ଆହୁରି ପ୍ରମାଣିତ କରିଥିଲେ ପୀତବାସ । ତେବେ ଏସବୁ ଆଗରୁ ଛୋଟ ପର୍ଦ୍ଦାରେ କମାଲ ଦେଖାଇଥିଲେ ପୀତବାସ । ଟିଭି ସୋ ‘ମେଟ୍ରୋ ପାର୍କ’ରେ ନିଜ ଅଭିନୟର ଯାଦୁ ଦେଖାଇ ବଲିଉଡ ପ୍ରଡ୍ୟୁସରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତା ସାଙ୍ଗକୁ ୧୦ ଏପିସୋଡ୍ ବିଶିଷ୍ଟ ଓ୍ୱେବସିରିଜରେ ଆକ୍ଟିଂ କରି ଆହୁରୁ ଚର୍ଚ୍ଚିତ ହୋଇଥିଲେ ।

ପୀତବାସ କହନ୍ତି, ନସିରୁଦ୍ଦିନ ଖାଁ, ବିଦ୍ୟାବାଲାନ୍, ଅମୀର ଖାନଙ୍କ ପରି ଭେଟେରାନ୍ ଅଭିନେତାଙ୍କ ସହ କାମ କରିବା ବେଳେ ବହୁତ ହୋମଓ୍ୱାର୍କ କରିବାକୁ ପଡ଼େ । ଦିନଦିନ ଧରି ଚାଲେ ଓ୍ୱାର୍କସପ୍  । ଆଉ ତା ଭିତରେ ଗୋଟେ ଫ୍ୟାମିଲି ବନେଇଦେବାକୁ ପଡ଼େ । ବେଗମ ଜାନରେ ୧୧ ଜଣ ମହିଳାଙ୍କ ସହ ଏକା ପୁରୁଷ ଭୂମିକାରେ ଆକ୍ଟିଂ କରିବା ବେଳେ କେୟାରଟେକରଠୁ ନେଇ ଏଣ୍ଟରଟେନର ପର୍ଯ୍ୟନ୍ତ ସବୁକିଛି କରିବାକୁ ପଡ଼ିଥିଲା । ଯାହା କ୍ୟାରିଅରର ସବୁଠୁ ଅଧିକ ଖୁସି ମିଳିଥିଲା ।

ଦେଉଳିରୁ ହଲିଉଡ ଲମ୍ବା ଯାତ୍ରା…

ନୟାଗଡ଼ ଜିଲ୍ଲା ଦେଉଳିରେ ପୀତବାସଙ୍କ ଜନ୍ମ । ପିଲାଦିନୁ ସ୍ୱପ୍ନ ଥିଲା ସିନେମାରେ ଅଭିନୟ । ହାଇସ୍କୁଲ ପରେ ବିଜେବି କଲେଜରେ ପଢ଼ିଲେ । ତାପରେ କୋଲକାତା ସରକାରୀ ଇଞ୍ଜିନିୟରିଂ କଲେଜ । କିନ୍ତୁ ଏସବୁରେ କ୍ୟାରିଅର କରିବାକୁ ମନ ନ ବଳାଇ ସିଧା ଚାଲିଲେ ପୁନେ ଫିଲ୍ମ ଏଣ୍ଡ ଟେଲିଭିଜନ୍ ଇନିଷ୍ଟିଚ୍ୟୁଟ୍ । ଯେଉଁଠି ପଢ଼ିଲେବି ସମାନ୍ତରାଳ ଭାବେ ଚାଲିଥିଲା ଅଭିନୟ । କୋଲକାତାରେ ପଢୁଥିବା ବେଳେ ଥିଏଟରରେ ଅଭିନୟ ଚାଲୁରଖିଥିଲେ । ଯାହା ପରେ ତାଙ୍କୁ ଖୁବ୍ ସାହାଯ୍ୟ କରିଥିଲା । ଏବେ ସେ ନିଜକୁ ନେଇ ଖୁବ୍ ଖୁସି । ତେବେ ଏତେସବୁ ସତ୍ତ୍ୱେ ତାଙ୍କ ବେଷ୍ଟ ବାକି ଅଛି ବୋଲି କହନ୍ତି ପୀତବାସ ।

Leave a Reply