ଶରଧାବାଲିରେ ଗଡିଲା ରଥ, ଆଗରେ ଯାଉଛି ତାଳଧ୍ୱଜ..
ପୁରୀ: ଆରମ୍ଭ ହେଲା ରଥ ଟଣା । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଲେ ମହାବାହୁ । ଶରଧାବାଲିରୁ ବାହାରିଛି ବଡ ଭାଇ ବଳଭଦ୍ରଙ୍କ ରଥ । ବଡ ଦାଣ୍ଡରେ କୋଟି କୋଟି ଶ୍ରଦ୍ଧାଳୁ ବଡଭାଇଙ୍କ ରଥ ଟାଣି କୃତାର୍ଥ ଅନୁଭବ କରୁଛନ୍ତି । ଜଗନ୍ନାଥଙ୍କ ଧ୍ୱନୀରେ କମ୍ପି ଉଠୁଛି ଗଗନ ପବନ । ସମସ୍ତ ରିତୀନିତୀ ସମ୍ପନ୍ନ ହେବା ପରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ବଡ ଦାଣ୍ଡରେ ଗଡିବା ଆରମ୍ଭ ହୋଇଛି ।
ପରେ ପରେ ଦର୍ପଦଳନ ଏବଂ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡିବ । ଭକ୍ତ ବତ୍ସଳ ପ୍ରଭୁ ବିଭୁ ବିହାରୀ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ବଡ ଦାଣ୍ଡରେ ଶେଷରେ ଝୁଲି ଝୁଲି ଯିବେ । ପ୍ରଥମେ ମହାପ୍ରଭୁଙ୍କ ଧାଡ଼ି ପହଣ୍ଡି ହୋଇଥିଲା । ପହଣ୍ଡି ବିଜେ ଶ୍ରୀମନ୍ଦିରର ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ହୋଇ ଆସୁଥିବା ବିଦ୍ଧି ସମ୍ବନ୍ଧୀୟ କ୍ରିୟାପଦ୍ଧତି । ପହଣ୍ଡି ପୁଣି ଦୁଇ ଭାଗରେ ବିଭକ୍ତ ଯଥା ଧାଡି ପହଣ୍ଡି ଓ ଗୋଟି ପହଣ୍ଡି। ସ୍ନାନଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ନେବା ସମୟରେ ଯେଉଁ ପହଣ୍ଡି ହୁଏ ତାହାକୁ ଧାଡି ପହଣ୍ଡି କୁହାଯାଏ ।
ରଥଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ରଥ ଉପରକୁ ଓ ରଥରୁ ମନ୍ଦିରକୁ ନେବା ସମୟରେ ଯେଉଁ ପହଣ୍ଡି କରାଯାଏ ତାହାକୁ ଗୋଟି ପହଣ୍ଡି କୁହାଯାଇଥାଏ । ଲକ୍ଷ ଲକ୍ଷ ଭକ୍ତଙ୍କ ମେଳରେ ଆରମ୍ଭ ହୋଇଛି ରଥ ଟଣା । ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୋଲିସର କଡା ପ୍ରହରରା ପରିପୂର୍ଣ୍ଣ ବଡ ଦାଣ୍ଡ ।