ବିଜେପି ନେତାଙ୍କ ନାଁରେ ଗିରଫ ପରୱାନା, ରାଜଧାନୀରେ ରାଜନୀତି ଜୋର

ନୂଆଦିଲ୍ଲୀ: ରାଜଧାନୀରେ ପାୱାର ରାଜନୀତି । ବିଜେପି –ଆପ୍ ବିବାଦର କାରଣ ହୋଇଥିବା ବିଜେପି ନେତା ତଜିନ୍ଦର ସିଂହ ବଗ୍ଗାଙ୍କୁ ଗିରଫ କରିବା ପାଇଁ ଓ୍ବାରଣ୍ଟ ଜାରି ହୋଇଛି । ମୋହାଲି କୋର୍ଟ ଜାରି କରିଛନ୍ତି ଓ୍ବାରଣ୍ଟ । ବଗ୍ଗାଙ୍କୁ ଗିରଫ କରି କୋର୍ଟରେ ହାଜର ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଗିରଫ ପରଓ୍ବାନା ଜାରି ହେବା ପରେ ବଗ୍ଗା ନିଜ ଓକିଲଙ୍କ ସହ ପରାମର୍ଶ କରୁଥିବା କହିଛନ୍ତି । ବଗ୍ଗା ଫେରାର ହୋଇନାହାନ୍ତି ବୋଲି ତାଙ୍କ ପିତା କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଅଭିଯୋଗରେ ପଞ୍ଜାବ ପୋଲିସ ଶୁକ୍ରବାର ଦିନ ବଗ୍ଗାଙ୍କୁ ଦିଲ୍ଲୀର ଜନକପୁରୀ ସ୍ଥିତ ଘରୁ ଗିରଫ କରିଥିଲା ।

କିନ୍ତୁ ଦିଲ୍ଲୀ ପୋଲିସର ନିର୍ଦ୍ଦେଶରେ ପଂଜାବ ପୋଲିସର ଗାଡିକୁ କୁରୁକ୍ଷେତ୍ରରେ ଅଟକାଇଥିଲା ହରିୟାଣ ପୋଲିସ । ବଗ୍ଗାଙ୍କ ଗିରଫଦାରୀ ନେଇ ପଞ୍ଜାବ ପୋଲିସ କୌଣସି ସୂଚନା ଦେଇ ନଥିଲା ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ଅଭିଯୋଗ ହୋଇଥିଲା । ଦିଲ୍ଲୀ ପୋଲିସର ଟିମ୍ ବଗ୍ଗାଙ୍କୁ ହରିୟାଣାରୁ ପୁଣି ରାଜଧାନୀକୁ ଆଣିଥିଲା । ବଗ୍ଗାଙ୍କ ପିତା ପ୍ରୀତପାଲ ସିଂହଙ୍କ ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ଅପହରଣ ମାମଲା ରୁଜୁ କରିଥିଲା । କିଛି ଲୋକ ଘରେ ପଶି ତାଙ୍କ ପୁଅଙ୍କୁ ଜବରଦସ୍ତ ଉଠାଇ ନେଇଥିଲେ ବୋଲି ଅଭିଯୋଗ କରିଥିଲା ପ୍ରୀତପାଲ ସିଂହ । ଏହି ଘଟଣାକୁ କେନ୍ଦ୍ର କରି ବିଜେପି ଓ ଆପ୍ ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି ।