କରୋନା କଟକଣାକୁ ଫୁ’: ଲକ୍‌ଡାଉନ୍‌ ସମୟରେ ଭାଇ ବରଯାତ୍ରୀରେ ନାଚିଲେ ତହସିଲଦାର

ଯାଜପୁର ରୋଡ: ବଢୁଥିବା କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଲକଡାଉନ୍ ଓ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରାଯାଇଛି । ତଦାରଖ ପାଇଁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଲାଗି ପଡ଼ିଛନ୍ତି । କିନ୍ତୁ ଖୋଦ୍ ଜଣେ ମହିଳା ପ୍ରଶାସନିକ ଅଧିକାରୀ ଏହାକୁ ଅବମାନନା କରିଥିବା ଦେଖିବାକୁ ମିଳିଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁର ଅଞ୍ଚଳରେ ଜଣେ ତହସିଲଦାର ବାହାଘର ବରଯାତ୍ରୀରେ ନାଚୁଥିବାରୁ ଭିଡିଓ ନନ୍ଦିଘୋଷ ଟିଭି ହାତରେ ଲାଗିଛି । ଯେଉଁଥିରେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ୍ ବେହେରା ନାଚୁଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଗତ ୨୧ ତାରିଖରେ ସେ ତାଙ୍କ ଭାଇ ବାହାଘର ଅବସରରେ ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳକୁ ବରଯାତ୍ରୀ ଯାଇଥିଲେ । ସେଠାରେ ସେ କରୋନା କଟକଣା ଉଲ୍ଲଂଘନ କରି ଅନ୍ୟମାନଙ୍କ ସହିତ ମିଶି ନାଚୁ ଥିବା ଭିଡିଓରେ ଦେଖିବାକୁ ମିଳିଛି । ପୁଣି କେତେବେଳେ ମାସ୍କ ପିନ୍ଧିଛନ୍ତି ତ ଆଉ କେତେବେଳେ ବିନା ମାସ୍କରେ ନାଚୁଛନ୍ତି । ଭିଡିଓରେ ନାଲିରଙ୍ଗର ଲେହେଙ୍ଗା ପିନ୍ଧିଥିବା ମହିଳା ଜଣଙ୍କ ହେଉଛନ୍ତି ତହସିଲଦାର ବୁଲବୁଲ୍ ବେହେରା । ତେବେ ଏନେଇ ସମ୍ପୃକ୍ତ ତହସିଲଦାରଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଲକ୍‌ଡାଉନ୍ କଟକଣାକୁ ସରକାର କଡ଼ାକଡ଼ି କରିବା ସହ ବିବାହ କାର୍ଯ୍ୟ ନେଇ ଲୋକଙ୍କ ସଂଖ୍ୟାକୁ ମଧ୍ୟ ସୀମିତ କରାଯାଇଛି । ଏବଂ ପ୍ରେସେସନକୁ ମଧ୍ୟ ସରକାରଙ୍କ ପକ୍ଷରୁ ବନ୍ଦ କରାଯାଇଛି । ଏଭଳି ସମୟରେ ପ୍ରଶାସନରେ ଜଣେ ଅଧିକାରୀ ଭାବେ ସରକାରଙ୍କ ନିୟମକୁ କାର୍ଯ୍ୟକାରୀ କରିବା ନେଇ କାର୍ଯ୍ୟ କରିବା ପରିବର୍ତ୍ତେ ଏହାକୁ ଉଲ୍ଲଂଘନ କରୁଥିବା ନଜରକୁ ଆସିଛି ।

Leave a Reply