୨୬/୧୧ ମୁମ୍ବାଇ ଆଟାକର ମାଷ୍ଟର ମାଇଣ୍ଡ ତହବୁର ରାଣାକୁ ଭାରତ ଅଣାଗଲା
1 min read
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ପହଞ୍ଚିଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣା । ଆମେରିକାରୁ ଏକ ସ୍ବତନ୍ତ୍ର ବିମାନରେ ରାଣାକୁ ଦିଲ୍ଲୀ ଅଣାଯାଇଛି । ଦିଲ୍ଲୀସ୍ଥିତ ପାଲାମ ବିମାନ ବନ୍ଦରରେ ରାଣାକୁ ଅବତରଣ କରାଯାଇଛି । ରାଣାକୁ ଏନଆଇଏ ମୁଖ୍ୟାଳୟକୁ ନିଆଯିବ ।
ଏଥିପାଇଁ ଦିଲ୍ଲୀ ସମେତ ମୁମ୍ଵାଇରେ କରାଯାଇଛି ଫୁଲ୍ ପ୍ରୁପ୍ ସିକ୍ୟୁରିଟି । ରାଣାକୁ ପ୍ରଥମେ ଏନଆଇଏ କୋର୍ଟରେ ହାଜର କରାଯିବ । ଦିଲ୍ଲୀରେ ତାକୁ ତିହାର ଜେଲରେ ରଖାଯିବ । ପରେ ତାକୁ ନିଜ ହେପାଜତକୁ ନେବା ଲାଗି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଆବେଦନ କରିବ । ଏହି ସମସ୍ତ ପ୍ରକ୍ରିୟାକୁ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଅନୁଧ୍ୟାନ କରୁଛନ୍ତି । ମୁମ୍ଵାଇ ଅଣାଯିବା ପରେ ରାଣାକୁ ଆର୍ଥର ରୋଡ୍ ଜେଲରେ ରଖାଯିବ ବୋଲି ଜଣାପଡ଼ିଛି । ତା’ ନାଁରେ ଯେଉଁ ମାମଲା ହେବ, ତା’ର ବିଚାର ପ୍ରକ୍ରିୟା ପାଇଁ ନରେନ୍ଦ୍ର ମାନଙ୍କୁ ସରକାରୀ ଓକିଲ ଭାବେ ନିଯୁକ୍ତ କରାଯାଇଛି । ୩ ବର୍ଷ ବା ମାମଲା ସରିବା ପର୍ଯ୍ୟନ୍ତ ତାଙ୍କୁ ଏହି ଦାୟିତ୍ଵ ଦିଆଯାଇଛି ।
ରାଣାଙ୍କ ତଦନ୍ତ ପ୍ରକ୍ରିୟାରେ ସାମିଲ ଅଛନ୍ତି କେବଳ ୧୨ ସଦସ୍ୟ । ସେମାନଙ୍କ ମଧ୍ୟରେ ଅଛନ୍ତି ଡିଜି ଏନଆଇଏ ସଦାନନ୍ଦ ଦାତେ, ଆଇଜି ଆଶିଷ ବାତ୍ରା ଏବଂ ଡିଆଇଜି ଜୟ ରାୟ । ଜେରା ସମୟରେ ରାଣା ମୁମ୍ବାଇ ଆଟାକ ଘଟଣାର ସବିଶେଷ ତଥ୍ୟ ଓଗାରିବ ।
ଗତ ୨୦୦୮ ନଭେମ୍ବର ୨୬ ତାରିଖରେ ୧୦ ଲସ୍କର କର୍ମୀ ମୁମ୍ବାଇର ୧୨ଟି ସ୍ଥାନରେ ଆଖିବୁଜା ହମଲା କରିଥଲେ । ସେଥିରେ ୧୬୬ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଅଜମଲ କାସବକୁ ଧରାଯାଇଥିଲା । ପରେ ୨୦୧୨ରେ ପୁଣେ କାରାଗାରରେ ତାକୁ ଫାଶୀ ଦିଆଯାଇଥିଲା ।
କିଏ ଏହି ତହବୁର ରଣା ?
୨୦୦୮ ମୁମ୍ବାଇ ଆତଙ୍କବାଦୀ ହମଲା ମାଷ୍ଟରମାଇଣ୍ଡ ତହବୁର ରାଣା
ପାକିସ୍ତାନ ଜନ୍ମିତ କାନାଡା ବ୍ୟବସାୟୀ
ଜଣେ ପୂର୍ବତନ ସାମରିକ ଡାକ୍ତର ଭାବେ ଜଣାଶୁଣା
ରାଣାକୁ ପ୍ରତ୍ୟାର୍ପଣ କରିବାକୁ ଦାବି କରିଆସୁଥିଲା ଭାରତ
ରାଣା ବିରୋଧରେ ଭାରତ ଯଥେଷ୍ଟ ପ୍ରମାଣ ପାଇଥିଲା
ଆମେରିକାର ଲସଏଞ୍ଜେଲସରେ ବନ୍ଦୀ ଭାବେ କାଳାତିପାତ କରୁଥିଲା ରାଣା
ପ୍ରତ୍ୟାର୍ପଣ ବିରୋଧରେ ଆବେଦନ କରି ଆମେରିକାରେ ହାରିଥିଲା ରାଣା
ପାକିସ୍ତାନୀ-ଆମେରିକୀୟ ଆତଙ୍କବାଦୀ ଡାଭିଡ କୋଲମ୍ୟାନ ସହ ସମ୍ପୃକ୍ତ
ରାଣାକୁ ଭାରତ ହାତରେ ଅର୍ପଣ କରିବାକୁ ଦାବି କରୁଥିଲା ଏନଆଇଏ
୨୦୦୯ରେ ରାଣାକୁ ଚିକୋଗାରେ ଗିରଫ କରିଥିଲା ଏଫବିଆଇ
ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତଏବା ସହ ସଂଶ୍ଳିଷ୍ଟ
ପାକିସ୍ତାନ ସେନାରେ ଡାକ୍ତର ଭାବେ କାମ କରି ଚାଲିଯାଇଥିଲା କାନାଡା
କାନାଡାର ନାଗରିକ ହେବା ପରେ ଯାଇଥିଲା ଚିକାଗୋ
ବହୁ ରାଷ୍ଟ୍ରରେ ଆତଙ୍କବାଦୀ ଷଡ଼ଯନ୍ତ୍ର ଘଟଣାରେ ଜଡିତ
ଆମେରିକୀୟ ଷଡ଼ଯନ୍ତ୍ରକାରୀ ଡାଭିଡ ହେଡଲି ସହ ଥିଲା ସମ୍ପର୍କ