ବାଲି ମାଫିଆଙ୍କ ଗୁଣ୍ଡାରାଜ; ଚଢ଼ାଉ ବେଳେ ତହସିଲଦାରଙ୍କୁ ଆକ୍ରମଣ, ଜୀବନରୁ ମାରିଦେବାକୁ ଧମକ

ବାଲେଶ୍ୱର: ବାଲେଶ୍ୱର ନୀଳଗିରି ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ । ଚୋରା ବାଲି ଚାଲାଣ ରୋକିବା ବେଳେ ମାଫିଆଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି ତହସିଲଦାର ଅଶେଷ କୁମାର ନାୟକ । ତହସିଲଦାରଙ୍କୁ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଲେ ବାଲି ମାଫିଆ । ଖବର ପାଇଁ ଘଟଣାସ୍ଥଳରେ ଅଧିକ ପୋଲିସ୍ ଫୋର୍ସ ପହଞ୍ଚି ତହସିଲଦାରଙ୍କୁ ଉଦ୍ଧାର କରିଥିଲେ । ଏହାସହ ଚୋରା ଚାଲାଣରେ ନିୟୋଜିତ ଏକ ଟ୍ରାକ୍ଟରକୁ ଜବତ କରିଥିଲା ପୋଲିସ ।

ସୂଚନାଯୋଗ୍ୟ, ବୁନ୍ଦାଳ ବାଲିଘାଟରେ ଚୋରା ବାଲି ଚାଲାଣ ହେଉଥିବା ଖବର ପାଇ ତହସିଲଦାର ଘଟଣାସ୍ଥଳକୁ ଯାଇଥିଲେ । ବାଲି ଟ୍ରାକ୍ଟରକୁ ଅଟକାଇବାରୁ ସେଠାରେ ଥିବା ବାଲି ମାଫିଆମାନେ ତହସିଲଦାରଙ୍କ ଗାଡ଼ି ଉପରକୁ ଟ୍ରାକ୍ଟର ଚଢାଇ ଦେବାକୁ ଉଦ୍ୟମ କରିଥିଲେ । ଆଗକୁ ବଢିଲେ ଗାଡ଼ି ଚଢାଇ ହତ୍ୟା କରିବାକୁ ଧମକ ଦେଇଥିଲେ ମାଫିଆ । ଏ ସମ୍ପର୍କରେ ତହସିଲଦାର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍ ମାମଲାର ତଦନ୍ତ ଜାରି ରଖିଛି ।

ତେବେ ଦିନକୁ ଦିନ ଏହି ଅଞ୍ଚଳରେ ବାଲି ମାଫିଆଙ୍କ ଆତଙ୍କରାଜ ବଢ଼ିବାରେ ଲାଗିଛି । ମାଫିଆଙ୍କ ଗୁଣ୍ଡାରାଜ ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି । ଯଦି କୌଣସି ପ୍ରଶାସନିକ ଅଧିକାରୀ ମାଫିଆଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି ତେବେ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ମାଫିଆ, ଏହାସହ ଆକ୍ରମଣ ମଧ୍ୟ କରୁଛନ୍ତି । ପୂର୍ବରୁ ଏଭଳି ଘଟଣା ଅନେକ ଥର ଘଟିସାରିଛି ।

Leave a Reply