କୋହଲିଙ୍କ ମୁଡ଼ ଅଫ୍: ହୋଟେଲ ରୁମର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଟି୨୦ ବିଶ୍ବକପରେ ବିରାଟ କୋହଲି ଦମଦାର ଫର୍ମରେ ଅଛନ୍ତି । ତାଙ୍କ ବ୍ୟାଟରୁ ବର୍ଷୁଛି ଚୌକା, ଛକା । ବିଶ୍ବକପ୍ ପ୍ରଦର୍ଶନକୁ ନେଇ କୋହଲି ଚର୍ଚ୍ଚାରେ ଥିବା ବେଳେ ଆଉ ଏକ କାରଣରୁ ଚର୍ଚ୍ଚା ବଢ଼ିଛି । ଆଉ ଏହି କାରଣଟି କୋହଲିଙ୍କ ମୁଡ଼ ଅଫ୍ କରି ଦେଇଛି । କାରଣ ହୋଟେଲରେ ତାଙ୍କ ରୁମର ଭିଡିଓ କେହି ଜଣେ ସୋସିଆଲ ମିଡ଼ିଆରେ ସେୟାର କରିଦେଇଛି । ଯାହାକୁ ନେଇ କୋହଲିଙ୍କ ରାଗ ପଞ୍ଚମ । ଯାହା ତାଙ୍କୁ ବ୍ୟକ୍ତିଗତ ଜୀବନ ଉପରେ ହସ୍ତକ୍ଷେପ ବୋଲି କୋହଲି ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ଅଷ୍ଟ୍ରେଲିଆରେ କୋହଲିଙ୍କ ହୋଟେଲ ରୁମର ଭିଡିଓ ଭାଇରାଲ ହେଉଛି । ଯାହା ଖେଳାଳିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ କ୍ରିକେଟ ଜଗତକୁ ଚିନ୍ତାରେ ପକାଇ ଦେଇଛି । କୋହଲି ନିଜେ ଏହାର ଭିଡିଓ ସେୟାର କରି ଏମିତି ହେବାର ନଥିଲା ବୋଲି ଉଲ୍ଲେଖ କରିଛନ୍ତି ।

ସେ ଉଲ୍ଲେଖ କରି କହିଛନ୍ତି, ‘ମୁଁ ଜାଣିଛି, ଫ୍ୟାନମାନେ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବା ପରେ ଉତ୍ସାହିତ ହୋଇଯାଇଥାନ୍ତି । ତାଙ୍କୁ ଭେଟିବାକୁ ସବୁ ବେଳେ ଚାହିଁଥାନ୍ତି । ମୁଁ ସବୁବେଳେ ସେମାନଙ୍କୁ ଉତ୍ସାହିତ କରିଛି । ହେଲେ ଏ ଭିଡିଓ ଡରାଇ ଦେବା ଭଳି । ସେ ମୋ ବ୍ୟକ୍ତିଗତ ଜୀବନକୁ ନେଇ ଚିନ୍ତାରେ ପକାଇ ଦେଇଛି । ଯଦି ମୁଁ ହୋଟେଲ ରୁମରେ ନିଜ ବ୍ୟକ୍ତିଗତ ଜୀବନକୁ ସୁରକ୍ଷିତ ରଖି ପାରୁନି, ଅନ୍ୟ ସ୍ଥାନରେ ନିଜକୁ ସୁରକ୍ଷିତ କେମିତି ମଣିବି । ଦୟାକରି ଅନ୍ୟର ପ୍ରାଇଭେସିକୁ ସମ୍ମାନ ଦିଅନ୍ତୁ ଓ ଏହାକୁ ନିଜର ମନୋରଞ୍ଜନ ବୋଲି ଭାବନ୍ତୁ ନାହିଁ ।’

ସୂଚନାଯୋଗ୍ୟ, କୋହଲି ଏବେ ପର୍ଥରେ ହୋଟେଲରେ ଅଛନ୍ତି । ଏଠାରେ ରବିବାରକୁ ଭାରତ, ଦକ୍ଷିଣ ଆଫ୍ରିକା ସହ ମ୍ୟାଚ ଖେଳିଥିଲା । କୁହାଯାଉଛି ଭାଇରାଲ ହେଉଥିବା ଭିଡିଓଟି ଏହି ହୋଟେଲ ରୁମର । କେହି ହୋଟେଲ ଷ୍ଟାଫ୍ ଏହାକୁ ରେକର୍ଡ କରି ଭାଇରାଲ କରିଛି । ଭିଡିଓକୁ ନେଇ କୋହଲି ଦୁଃଖ ପ୍ରକାଶ କରିବା ସହ ନିଜ ଇଣ୍ଟଗ୍ରାମ ପେଜରେ ଏହାକୁ ସେୟାର କରିଛନ୍ତି ।