ବିସିସିଆଇର ଘୋଷଣା; ଭାରତରେ ହେବନି T20 ୱାର୍ଲ୍ଡ କପ୍

1 min read

ନୂଆଦିଲ୍ଲୀ: T20 ୱାର୍ଲ୍ଡ କପର ଆୟୋଜନ ଭାରତରେ ନୁହେଁ ବରଂ ୟୁଏଇରେ ଆୟୋଜିତ ହେବ ବୋଲି ଘୋଷଣା କରିଛି ବିସିସିଆଇ। କରୋନା ମହାମାରୀ ଯୋଗୁଁ ପୂର୍ବରୁ ଏନେଇ କୗେଣସି ସ୍ପଷ୍ଟ ହୋଇପାରିନଥିଲା ।

ଏ ସମ୍ପର୍କରେ ବସିସିଆଇ ପକ୍ଷରୁ ଆଇସିସିକୁ ଆଧିକାରିକ ଭାବେ ସୂଚନା ଦିଆଯାଇଛି ।  ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର କିମ୍ବା ନଭେମ୍ବର ବେଳକୁ ଆୟୋଜିତ ହୋଇପାରେ ।  ଟି-୨୦ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆଇପିଏଲର ବଳକା ୩୧ଟି  ମ୍ୟାଚ୍ ମଧ୍ୟ ୟୁଏଇରେ ଖେଳାଯିବ ।

ଗଣମାଧ୍ୟମର ସୂଚନା ଅନୁଯାୟୀ ବୋର୍ଡର ସଚିବ ଜୟ ଶାହା କହିଛନ୍ତି, ଟି-୨୦ ୱାର୍ଲ୍ଡ କପ ୟୁଏଇରେ ଆୟୋଜିତ ହେବା ନେଇ ଆଜି ଆମେ ଆଧିକାରିକ ଭାବେ ଆଇସିସିକୁ ଜଣାଇଛୁ । ତେବେ ଟୁର୍ଣ୍ଣାମେଣ୍ଟର ତାରିଖ ନେଇ ଆଇସିସି ନିଷ୍ପତି ନେବ । କରୋନା ମହାମାରୀର ତୃତୀୟ ପ୍ରବାହ ଆଶଙ୍କା ଯୋଗୁଁ ମ୍ୟାଚ୍ ଭାରତରେ ଆୟୋଜିତ ହେବା କଷ୍ଟକର ।

ଓମାନରେ ହୋଇପାରେ ପ୍ରାରମ୍ଭ ମ୍ୟାଚ୍-

ଅକ୍ଟୋବର ୧୭ରୁ ବିଶ୍ୱକପ୍ ମ୍ୟାଚ୍ ଆରମ୍ଭ ହୋଇପାରେ । ଏହି ୧୬ଟି ଟୁର୍ନାମେଣ୍ଟର ଟାଇଟଲ୍ ମ୍ୟାଚ୍ ନଭେମ୍ବର ୧୪ରେ ଖେଳାଯିବ । ୟୁଏଇ ବ୍ୟତୀତ ଟୁର୍ନାମେଣ୍ଟ ମ୍ୟାଚ୍ ଗୁଡିକ ଓମାନରେ ମଧ୍ୟ ଆୟୋଜିତ ହୋଇପାରେ । ଆଇପିଏଲର ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୟୁଏଇରେ ଯେପରି ଅଧିକ ଚାପ ନ ପଡିବ ସେଥିପାଇଁ ଓମାନରେ ପ୍ରାରମ୍ଭିକ ରାଉଣ୍ଡ ଅନୁଷ୍ଠିତ ହୋଇପାରେ । ଦୁବାଇ, ଶାରଜା ଏବଂ ଆବୁଧାବିରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହାପୂର୍ବରୁ ୨୦୧୬ର ଟି-୨୦ ୱାର୍ଲ୍ଡ କପ୍ ଭାରତରେ ଆୟୋଜିତ ହୋଇଥିଲା । ସେ ସମୟରେ ୱେଷ୍ଟ ୱିଣ୍ଡିଜ୍ ଦଳ ଚାମ୍ପିଅନ୍ ହୋଇଥିଲା ।

ୱାର୍ଲ୍ଡ କପରେ ମୋଟ ୪୫ଟି ମ୍ୟାଚ୍ ଖେଳାଯିବ-

ଟି-୨୦ ବିଶ୍ୱକପ୍‌ରେ ୧୬ଟି ଦଳକୁ ସୁଯୋଗ ଦିଆଯାଇଥିବା ବେଳେ ମୋଟ୍ ୪୫ଟି ମ୍ୟାଚ୍ ହେବ । ପ୍ରଥମ ରାଉଣ୍ଡ ୮ଟି ଦଳ ମଧ୍ୟରେ ହେବ ଏବଂ ଦୁଇଟି ଦଳରେ ୪-୪ ଟିମ୍ ରହିବେ । ମୋଟ ୧୨ଟି ମ୍ୟାଚ୍ ହେବ ଏବଂ ଉଭୟ ଦଳର ଟପ୍ ଟିମ୍ ସୁପର-୧୨ ପାଇଁ କ୍ବାଲିଫାଏ୍ କରିବେ । ଏହାପରେ ୧୨ଟି ଦଳକୁ ଦୁଇଟି ଟିମରେ ଭାଗ କରାଯାଇଛି । ମୋଟ ୩୦ଟି ମ୍ୟାଚ୍ ହେବ । ଯାହା ପରେ ଦୁଇଟି ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ହେବ ।

ସୂଚନା ଅନୁଯାୟୀ, ଆଇପିଏଲର ବଳକା ମ୍ୟାଚ୍ ଗୁଡିକ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ମଧ୍ୟରେ ଅନୁଷ୍ଠିତ ହୋଇପାରେ । ଏହା ମଧ୍ୟ ୟୁଏଇରେ ଅନୁଷ୍ଠିତ ହେବ । କରୋନା ମାମଲା ଚିହ୍ନଟ ହେବା ପରେ ଟି-୨୦ ଲିଗକୁ ମ୍ୟାଚ୍ ୨୯ ତାରିଖ ପରେ ସ୍ଥଗିତ କରାଯାଇଥିଲା ।

Leave a Reply