ଟି-ଟ୍ବେଣ୍ଟି ବିଶ୍ବକପ୍: ଇଂଲଣ୍ଡକୁ ହରାଇ ଆର୍ୟଲାଣ୍ଡ ସୃଷ୍ଟି କଲା ବଡ଼ ବିପର୍ଯ୍ୟୟ

1 min read

ନୂଆଦିଲ୍ଲୀ: ଟି-ଟ୍ବେଣ୍ଟି ବିଶ୍ବକପରେ ବଡ଼ ବିପର୍ଯ୍ୟୟ । ବର୍ଷା ବାଧାପ୍ରାପ୍ତ ଏକ ମ୍ୟାଚରେ ଡକଓ୍ବର୍ଥ ଲୁଇସ୍ ନିୟମରେ ୫ ରନରେ ଇଂଲଣ୍ଡକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି ଆର୍ୟଲାଣ୍ଡ । ଆର୍ୟଲାଣ୍ଡ ୧୯.୨ ଓଭର ବୋଲିଂ କରି ସମସ୍ତ ଓ୍ବିକେଟ ହରାଇ ୧୫୭ ରନ୍ କରିଥିଲା । ଜବାବରେ ଇଂଲଣ୍ଡ ୧୪.୩ ଓଭରରେ ୫ ଓ୍ବିକେଟ ହରାଇ ୧୦୫ ରନ୍ କରିଥିଲା । ଏହାପରେ ବର୍ଷା ହେବାରୁ ଖେଳ ଆଗକୁ ହୋଇ ପାରିନଥିଲା । ଫଳରେ ଡକଓ୍ବର୍ଥ ଲୁଇସ୍ ନିୟମରେ ଆର୍ୟଲାଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା ।

ଟସ୍ ଜିତି ଇଂଲଣ୍ଡ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଆର୍ୟଲାଣ୍ଡର ଦୁଇ ଓପନର ଭଲ ଆରମ୍ଭ ଦେଇଥିଲେ । ବିଶେଷ କରି ଅଧିନାକୟ ଏ. ବାଲବ୍ରିନି ୪୭ ବଲର ଧୂଆଁଧାର ଇଂନିସ୍ ଖେଳି ୫ ଚୌକା ଓ ୨ ଛକା ସହାୟତାରେ ୬୨ ରନ୍ କରିଥିଲେ । ଅନ୍ୟତମ ଓପନର  ପାଉଲ ଷ୍ଟ୍ରିଲିଂ ୮ ବଲରେ ୧୪ ରନ୍ କରି ଏକ ଛୋଟ ଇଂନିସ୍ ଖେଳିଥିଲେ । ଫାଷ୍ଟ ଡାଇନରେ ଆସିଥିବା ଏଲ. ଟୁକର୍ ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୩୪ ରନ୍ କରିଥିଲେ । ତେବେ ଇଂଲଣ୍ଡ ବୋଲିଂ ଆଗରେ ଆର୍ୟଲାଣ୍ଡର ୫ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ ।

ଇଂଲଣ୍ଡ ପକ୍ଷରୁ ମାର୍କ ଉଡ ଏବଂ ଏଲ. ଲିଭିଂଷ୍ଟୋନ୍ ୩ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ସାମ୍ କର୍ଣ୍ଣ ୨ଟି ଏବଂ ବେନ୍ ଷ୍ଟୋକସ ଗୋଟିଏ ଓ୍ବିକେଟ ନେଇଥିଲେ ।

୧୫୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଇଂଲଣ୍ଡ ଆରମ୍ଭ ଭଲ ହୋଇ ନଥିଲା । ଦଳୀୟ ସ୍କୋର ୧ ହୋଇଥିବା ବେଳେ ଅଧିନାୟକ ଜେ. ବୁଟଲର୍ ଜିରୋରେ ଆଉଟ୍ ହୋଇଯାଇଥିଲେ । ଅନ୍ୟତମ ଓପନର ଆଲେକ୍ସ ହେଲ୍ସ ମାତ୍ର ୭ ରନ୍ କରି ଆଉଟ୍ ହୋଇଥିଲେ । ଡି. ମାଲନ ୩୭ ବଲରେ ୨ ଚୌକା ସହାୟତାରେ ୩୫ ରନ୍ କରି ଦଳକୁ କିଛିଟା ଆଗକୁ ନେଇଥିଲେ ବି ଅନ୍ୟ ପକ୍ଷରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ପଡ଼ିବାରେ ଲାଗିଥିଲା ।

ଆର୍ୟଲାଣ୍ଡ ପକ୍ଷରୁ ଜୋଷ ଲିଟଲ ୨ଟି ଓ୍ବିକେଟ୍ ନେଇଥିବା ବେଳେ ବାରି ମାକକାର୍ଥି, ଏଫ. ହ୍ୟାଣ୍ଡ ଏବଂ ଜି. ଡକରିଲ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ ।