ଶ୍ରୀକାନ୍ତ କହିଲେ ଟି-୨୦ ବିଶ୍ବକପ ଦଳରେ ରୋହିତ ଏବଂ କୋହଲିଙ୍କୁ କାହିଁକି କରାଯିବ ସାମିଲ

1 min read

ନୂଆଦିଲ୍ଲୀ: ୨୦୨୪ ମସିହାରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବାକୁ ଥିବାବେଳେ ସମସ୍ତ ଦଳ ଟ୍ରଫି ହାତେଇବା ଲକ୍ଷ୍ୟରେ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଦିନିକିଆ ବିଶ୍ବକପରେ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତ ହାରିବା ପରେ ଟି-୨୦ ବିଶ୍ବକପ କିଭଳିଭାବେ ଜିତିବ ସେନେଇ ଯୋଜନା ଆରମ୍ଭ କରିଛି । ଦଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଯୁବ ଖେଳାଳିମାନେ ଏବେ ଦମଦାର ଫର୍ମରେ ରହିଥିବାବେଳେ ସିନିୟର ଖେଳାଳିମାନେ ଦଳରେ ରହିବା ନିହାତି ଜରୁରୀ । ଅଭିଜ୍ଞ ଖେଳାଳିଙ୍କ ଜ୍ଞାନ କୌଶଳ ମଧ୍ୟ ଜରୁରୀ ହେବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦିଅନ୍ତି । ତେବେ ଦୀର୍ଘଦିନ ହେବ ଟି-୨୦ ଖେଳି ନଥିବା ଦୁଇ ଅଭିଜ୍ଞ ଖେଳାଳି ରୋହିତ ଏବଂ କୋହଲି ଦଳରେ ସ୍ଥାନ ପାଇବେ କି ନାହିଁ?

ପୂର୍ବତନ ଭାରତୀୟ କ୍ରିକେଟର କ୍ରିଷ୍ଣାମଚାରୀ ଶ୍ରୀକାନ୍ତ କହିଛନ୍ତି କି, ଉଭୟ ଦଳରେ ସ୍ଥାନ ପାଇବା ଉଚିତ । ୨୦୨୩ ଦିନିକିଆ ବିଶ୍ବକପରେ ସେମାନଙ୍କ ପ୍ରଦର୍ଶନ ଦଳ ପାଇଁ ବହୁ ଗୁରୁତ୍ବ ବହନ କରିଛି । କେବଳ ଏତିକି ନୁହେଁ, ଯଦି ଟି-୨୦ରେ ଉଭୟଙ୍କ ରେକର୍ଡ ଉପରେ ନଜର ପକାଇବା ତାହେଲେ ଭଲ ରେକର୍ଡ ରହିଛି । କୋହଲି ୧୧୫ଟି ଟି-୨୦ ମ୍ୟାଚରେ ୪୦୦୮ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ରହିଥିବାବେଳେ ୩୭ଟି ଅର୍ଦ୍ଧଶତକ ରହିଛି । ୧୨୨ ରନ ସର୍ବାଧିକ ରହିଛି । ଏପରିକି ବୋଲିଂ କରି ୪ ଓ୍ବିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ସେପଟେ ରୋହିତଙ୍କ ଟି-୨୦ କ୍ୟାରିୟର ମଧ୍ୟ ଭଲ ରହିଛି । ସେ ୧୪୮ ମ୍ୟାଚରେ ୩୮୫୩ ରନ ସଂଗ୍ରହ କରିଛନ୍ତି । ୪ଟି ଶତକ ସହ ୩୭ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ।