ଛତିଶଗଡ଼ କଂଗ୍ରେସରେ ହଲଚଲ, ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଲା ସମୀକରଣ

ରାୟପୁର: ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ କଂଗ୍ରେସ ସରକାରରେ ହଲଚଲ । ଟିଏସ୍‌ ସିଂହଦେଓଙ୍କୁ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ କରାଯାଇଛି । ଏହାକୁ ନେଇ ଛତିଶଗଡ଼ ରାଜନୀତି ପୁଣି ଚଳଚଞ୍ଚଳ ହୋଇଉଠିଛି । ଛତିଶଗଡ଼ରେ ଭୁପେଶ ବାଘେଲ ମୁଖ୍ୟମନ୍ତ୍ରୀ ଅଛନ୍ତି । ଆଗକୁ ରାଜ୍ୟ ରାଜନୀତିରେ ସମୀକରଣ ବଦଳିବ ବୋଲି ଆଶା କରାଯାଉଛି । ଟିଏସ୍‌ ସିଂହଦେଓଙ୍କୁ ଅଭିନନ୍ଦନ ଜଣାଇବା ସହ ‘ଆମେ ପ୍ରସ୍ତୁତ’ ବୋଲି ସିଏମ୍‌ ଭୁପେଶ ବାଘେଲ କହିଛନ୍ତି । ଦୀର୍ଘ ୧୫ ବର୍ଷ ପରେ କ୍ଷମତା ଅକ୍ତିଆର କରି ୨୦୧୮ରେ ଛତିଶଗଡ଼ରେ ସରକାର କରିଥିଲା କଂଗ୍ରେସ । ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଭୁପେଶ ବାଘେଲ ଓ ଟିଏସ୍ ସିଂହଦେଓଙ୍କ ଭିତରେ କନ୍ଦଳ ଦେଖାଦେଇଥିଲା । ଏହା ପରେ ବାଘେଲଙ୍ଗୁ ଅଢ଼େଇ ବର୍ଷ ନିମନ୍ତେ ସିଏମ୍‌ ଆସନ ଦେବାକୁ କଂଗ୍ରେସ ସ୍ଥିର କରିଥିଲା । ଏହାପରେ ଟିଏସ୍‌ ସିଂହଦେଓ ଆଉ ଅଧାଦିନ କ୍ଷମତାରେ ବସିବାକୁ କଥା ହୋଇଥିଲା । ମାତ୍ର ଏହା ପରବର୍ତ୍ତୀ ସମୟରେ ହେଲାନି । ଏବେବି ଭୁପେଶ ସିଏମ୍‌ କ୍ଷମତାରେ ବସିଛନ୍ତି । ଏହି ନିଷ୍ପତ୍ତି କାର୍ଯ୍ୟକାରୀ ନ ହୋଇପାରିବା ନେଇ ଗଣମାଧ୍ୟମ ଆଗରେ କ୍ଷୋଭ ପ୍ରକାଶ କରିଥିଲେ ସିଂହଦେଓ ।