ଆଉ ନାହାଁନ୍ତି ‘ଅନ୍ଧା କାନୁନ’ର ନିର୍ଦ୍ଦେଶକ ‘ଟି ରାମା ରାଓ’, ଅଜୟ ଦେବଗନ୍‌ ଲେଖିଲେ ଇମୋଶନାଲ ପୋଷ୍ଟ୍‌

1 min read

ମୁମ୍ବାଇ: ଆଉ ନାହାଁନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତତିନେନି ରାମା ରାଓ । ବୁଧବାର ୮୪ ବର୍ଷ ବୟସରେ ଚେନ୍ନାଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏନ ଟି ରାମା ରାଓ, ରଜନୀକାନ୍ତ ଏବଂ ଅମିତାଭ ବଚ୍ଚନଙ୍କ ସହିତ ମିଶି ସେ ଏକାଧିକ ସଫଳ  ତେଲୁଗୁ ଏବଂ ହିନ୍ଦୀ ସିନେମା ନିର୍ମାଣ କରିଥିଲେ ।

ଟି ରାମା ରାଓ ନାମରେ ଜଣାଶୁଣା ଏହି ପ୍ରସିଦ୍ଧ ଫିଲ୍ମ ନିର୍ମାତା ୪ ଦଶନ୍ଧି ଧରି ଲୋକଙ୍କ ମନୋରଞ୍ଜନ କରିଥିଲେ । ୧୯୬୬ ମସିହାରେ ସେ ତେଲୁଗୁ ସିନେମା ‘ନବରାତ୍ରୀ’ ନିର୍ମାଣ କରିଥିଲେ । ଯେଉଁଥିରେ ଅକିନେନି ନାଗେଶ୍ୱର ଏବଂ ସାବାତ୍ରୀଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଥିଲା । ୧୯୭୭ ମସିହାରେ NTRଙ୍କ ସହିତ ମିଶି କମେଡି ଫିଲ୍ମ ‘ ୟମଗୋଲା’ ନିର୍ମାଣ କରିଥିଲେ । ଯାହା ଥିଲା ଏକ ବ୍ଲକବଷ୍ଟର ସିନେମା ।୧୯୮୫ ମସିହାରେ ରୋମାଂଟିକ୍‌ ପାରିବାରିକ ଡ୍ରାମା ’ପଚନି କପୂରମ’ର ଗୀତ ଏବେ ମଧ୍ୟ ଦର୍ଶକ ଗୁଣୁଗୁଣୁ ହୁଅନ୍ତି । ଏଥିରେ  କ୍ରିଷ୍ଣା ଏବଂ ଶ୍ରୀଦେବୀଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଥିଲା ।

ରାମା ରାଓଙ୍କ ପ୍ରସିଦ୍ଧ ହିନ୍ଦୀ ସିନେମା ଗୁଡ଼ିକ ମଧ୍ୟରେ  ‘ଅନ୍ଧା କାନୁନ’, ‘ଏକ ହି ଭୁଲ୍‌’,‘ଜଙ୍ଗ୍‌’,’ବୁଲନ୍ଦି’ ଏବଂ ‘ଖତରୋଁ କେ ଖିଲାଡି’ ଅନ୍ୟତମ । ତେବେ ନିର୍ମାତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ଅଭିନେତା ଅନୁପମ୍‌ ଖେର୍‌ । ଏହା ବ୍ୟତୀତ ଅଜୟ ଦେବଗନ ମଧ୍ୟ ଦୁଃଖ ପ୍ରକାଶ କରି ଲେଖିଛନ୍ତିଯେ, ୮୦ ଦଶକରେ ସେ ଲୋକଙ୍କ ଉପରେ ସିନେମାର ଏକ ଛାପ ଛାଡ଼ିଥିଲେ । ବେଶ୍‌ ଲୋକପ୍ରିୟ ଥିଲେ । ତାଙ୍କ ବାପା ଏବଂ ରାମା ରାଓଙ୍କ ସମ୍ପର୍କ ଖୁବ୍‌ ନିବିଡ଼ ଥିଲା ।