ଟଙ୍କା ଦିଅ, ଚାକିରି ନିଅ: SI ପରୀକ୍ଷା ଜାଲିଆତିରେ ସାମିଲ ବଡ଼ ସିଣ୍ଡିକେଟ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ପୋଲିସ ସବଇନ୍ସପେକ୍ଟର ନିଯୁକ୍ତି ଜାଲିଆତିରେ କାମ କରୁଛି ଏକ ବଡ ସଙ୍ଗଠିତ ସିଣ୍ଡିକେଟ । ରାଜ୍ୟ ରାଜଧାନୀରୁ ଆରମ୍ଭ କରି ବାହାର ରାଜ୍ୟକୁ ଲମ୍ବିଛି ଚେର । ସରକାରୀ ନିଯୁକ୍ତି ସୁନିଶ୍ଚିତ କରିବାକୁ ଆଦାୟ ହେଉଛି ଲକ୍ଷ ଲକ୍ଷ ଟଙ୍କା । ଶ୍ରୀକାକୁଲମ ପୋଲିସ ଦ୍ବାରା ଦଲାଲଙ୍କ ସହ ଆଶାୟୀ ପରୀକ୍ଷାର୍ଥୀ ଗିରଫ ହେବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି । ଏହି ସିଣ୍ଡିକେଟ ସହ ରାଜ୍ୟ ସରକାରଙ୍କ ବଡପଣ୍ଡାମାନେ ମଧ୍ୟ ଲିଙ୍କରେ ଥିବା ଚର୍ଚ୍ଚା ହେଉଛି । ସରକାରୀ ପ୍ରୋତ୍ସାହନରେ ଚାଲିଥିଲା ଏହି ସିଣ୍ଡିକେଟ । ଏହି ଘଟଣାରେ ପୂର୍ବରୁ ୧୧୭ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ଆଉ ଜଣେ ଦଲାଲକୁ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡରେ ବି ଆରମ୍ଭ ହୋଇଛି ତନାଘନା ।
ଏସଆଇ ନିଯୁକ୍ତି ଜାଲିଆତିରେ ପୂର୍ବରୁ ୧୧୪ ଆଶାୟୀ ଓ ୩ ଦଲାଲଙ୍କୁ ପୋଲିସ ଗିରଫ କରିଥିଲା । ଆଜି କ୍ରାଇମବ୍ରାଞ୍ଜ ଆଉ ଜଣେ ଦଲାଲକୁ ଗିରଫ କରିବା ପରେ ଖୋଲିଛି ସିଣ୍ଡିକେଟର ବଡ ଗୁମର । ଖୋଦ କ୍ରାଇମବ୍ରାଞ୍ଚ କହିଛି, ରାଜ୍ୟରେ ପୋଲିସ ନିଯୁକ୍ତି ପ୍ରକ୍ରିୟାରେ କାମ କରୁଛି ସିଣ୍ଡିକେଟର ବଡ ରାକେଟ । ଆଜି କ୍ରାଇମବ୍ରାଞ୍ଚ ସିଣ୍ଡିକେଟ ପାଇଁ କାମ କରୁଥିବା ଆଉ ଜଣେ ଦଲାଲ ବିଶ୍ବରଂଜନ ବେହେରାକୁ ଗିରଫ କରି ବ୍ରହ୍ମପୁର ଜେଏମଏଫସିଙ୍କ କୋର୍ଟରେ ହାଜର କରିଛି । ବିଶ୍ବରଂଜନ ସିଣ୍ଡିକେଟ ମୁଖିଆଙ୍କ ନିର୍ଦ୍ଦେଶରେ ଆଶାୟୀଙ୍କ ଠାରୁ ସଂଗ୍ରହ କରୁଥିଲା ଅରିଜିନାଲ ସାର୍ଟିଫିକେଟ ଓ ବ୍ଲାଙ୍କ ଚେକ । ବିଶ୍ବରଂଜନଙ୍କ ଭଳି ଏହି ସିଣ୍ଡିକେଟରେ ଆଉ ଅନେକ ଦଲାଲ ଥିବା ସନ୍ଦେହ କରାଯାଉଛି । ସେପଟେ ଏହି ଘଟଣାକୁ ନେଇ ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡରେ ଆରମ୍ଭ ହୋଇଯାଇଛି ତନାଘନା । ଅଫିସିଆଲ ଲାପଟପ, ପେନ ଡ୍ରାଇଭ ଓ ଅନ୍ୟାନ୍ୟ ଦସ୍ତାବିଜକୁ ନେଇ ଖୋଦ୍ ଓପିଆରବି ଅଧ୍ୟକ୍ଷ କରିଛନ୍ତି ଛାନବିନ । ସେ କହିଛନ୍ତି ସବୁ ଦସ୍ତାବିଜ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । କ୍ରାଇମବ୍ରାଞ୍ଚ ତଦନ୍ତ ପରେ ପରବର୍ତ୍ତୀ ପରୀକ୍ଷା ତାରିଖ ଘୋଷଣା କରାଯିବ ।
ସରକାରୀ ଚାକିରିରେ ଜାଲିଆତି ପ୍ରଥମ ନୁହେଁ । ଗତ ଜାନୁଆରୀ ୧୭ ତାରିଖରେ ୯୩୩ ପୋଲିସ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାର୍ଚ୍ଚ ୭ ତାରିଖରେ ପରୀକ୍ଷା ହେବାକୁ ଧାର୍ଯ୍ୟ କରାଯାଇଥିଲା । ହେଲେ ହଠାତ କଣ ହେଲା ଯେ ସରକାର ପରୀକ୍ଷା ବାତିଲ କରିଦେଲେ । ସେତେବେଳେ ପରୀକ୍ଷା ବାତିଲର କାରଣ ସ୍ପଷ୍ଟ କରାଯାଇ ନଥିଲା । ପରବର୍ତ୍ତୀ ସମୟରେ ପୁଣି ଥରେ ସେହି ୯୩୩ ପଦବୀ ପାଇଁ ଆଉ ଥରେ ବିଜ୍ଞପ୍ତି କରି ଚଳିତ ମାସ ୫ ଓ ୬ ତାରିଖରେ ପରୀକ୍ଷା ହେବାର ଥିଲା । କିନ୍ତୁ ୩ ଦଲାଲ ୧୧୪ ଆଶାୟୀଙ୍କ ଠାରୁ ଲାଞ୍ଚ ବାବଦରେ ଅଗ୍ରୀମ ନେଇ ପ୍ରଶ୍ନପତ୍ର ସମ୍ପର୍କରେ ଟ୍ରେନିଂ ଦେବାକୁ ହାଇଦ୍ରାବାଦ ନେଇ ଯାଉଥିବା ବେଳେ ଶ୍ରୀକାକୁଲମ ପୋଲିସ ଧରିଥିଲା । ଶ୍ରୀକାକୁଲମ ପୋଲିସ ଓଡିଶା ପୋଲିସକୁ ସମସ୍ତ ଆଶାୟୀ ଓ ଦଲାଲଙ୍କୁ ହସ୍ତାନ୍ତର କରିଥିଲା । ଏବେ ପ୍ରଶ୍ନ ଉଠୁଛି ମାର୍ଚ୍ଚ ମାସରେ ସରକାର କାହିଁକି ପରୀକ୍ଷା ବାତିଲ କଲେ । ଆଇଟିଆଇ ଗୁଜୁରାଟ ପୂର୍ବରୁ ରିଚ ମାଇଣ୍ଡକୁ ପରୀକ୍ଷା ପରିଚାଳନା ଦାୟିତ୍ବ ଦେଇଥିଲା । କିନ୍ତୁ ସଂଯୋଗବଶତଃ ଗତ ମାର୍ଚ୍ଚ ମାସରେ ହିଁ ରିଚ ମାଇଣ୍ଡ ସହ ଚୁକ୍ତି ବାତିଲ କରି ସିଲିକନ ଟେକ ଲାବ କାମ ଦେଇଥିଲା ଆଇଟିଆଇ ଗୁଜୁରାଟ । ପରେ ଅବୈଧ ଭାବେ ସିଲିକନ ଟେକ ଲାବ ପଞ୍ଚସଫ୍ଟକୁ ସବଲେଟ କଲା । ଏତେ ବଡ ଘଟଣା ସମ୍ପର୍କରେ ରାଜ୍ୟ ପୋଲିସ ମୁଖିଆ ଜାଣିପାରି ନଥିଲେ ନା ସବୁ ଜାଣି ଅଜଣା ଭଳି ଅଭିନୟ କରୁଥିଲେ ? ବିନା ସରକାରୀ ପ୍ରୋତ୍ସାହନରେ ଏତେବଡ ଜାଲିଆତି ଘଟିବା ସମ୍ଭବ କି ? ବଡବଡିଆଙ୍କ ସହଯୋଗ ବିନା ଏହି ସିଣ୍ଡିକେଟ ଅପରେଟ କରିପାରିପାରିବ କି ? ସିଣ୍ଡିକେଟ ମୁଖିଆକୁ ଘେରିପାରିବ କି କ୍ରାଇମବ୍ରାଞ୍ଚ ? ନା ଛୋଟ ମୋଟ ଦଲାଲଙ୍କ ଗିରଫଦାରୀରେ ନାଲି ଫିତା ତଳେ ଚାପି ହୋଇଯିବ ସବୁ କେଳେଙ୍କାରୀ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି ।