ମନ୍ଦିର ପରିସରରେ ମଟନ ଡେଲିଭରୀ କଲେନି ସ୍ବିଗି ବୟ, ଚାକିରିରୁ ବାହାର କରିଦେଲା କମ୍ପାନୀ

ନୂଆଦିଲ୍ଲୀ: ସବୁବେଳେ ଡେଲିଭରୀ ବୟ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ କେତେବେଳେ ଫଟୋ ଭାଇରାଲ ହୁଏ ତ ଆଉ କେତେବେଳେ ଡେଲିଭରୀ ବୟଙ୍କ କାହାଣୀ । କୁହାଯାଏ ବ୍ୟବସାୟରେ ଜାତି ଧର୍ମ ଦେଖାଯାଏ ନାହିଁ । କିନ୍ତୁ ଆଜି ଜଣେ ଡେଲିଭରୀ ବୟଙ୍କ ସହ ଏପରି ଘଟିଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

ଦିଲ୍ଲୀର ଜଣେ ସ୍ବିଗି ବୟ ମଟନ କୋରମା ନେଇ ଡେଲିଭରୀ କରିବାକୁ ଯାଇଥିଲେ । ଡେଲିଭରୀର ସ୍ଥାନ ଥିଲା ମନ୍ଦିର ପରିସର । ହନୁମାନ ମନ୍ଦିର ପରିସର ଦେଖି ସ୍ବିଗି ବୟ ଜଣଙ୍କ ଡେଲିଭରୀ କରିବାକୁ ସିଧା ସିଧା ମନା କରିଦେଇଥିଲେ । ଡେଲିଭରୀ ବୟ ଜଣଙ୍କ ମନ୍ଦିର ବାହାରେ ଠିଆ ହୋଇ ଅର୍ଡର ଦେଇଥିବା ଲୋକକୁ ସେଠାରୁ ନେବାକୁ କହିଥିଲେ । ହେଲେ ଗ୍ରାହକ ତାଙ୍କୁ ମନ୍ଦିର ଭିତରକୁ ଆସି ମଟନ ଦେବାକୁ ବାଧ୍ୟ କରିଥିଲେ ।

ଏହାକୁ ଡେଲିଭରୀ ବୟ ଜଣଙ୍କ ମନା କରିବାରୁ ଗ୍ରାହକ ସ୍ବିଗିରେ ଅଭିଯୋଗ କରିଥିଲେ । ଏହାପରେ ସ୍ବିଗି ତରଫରୁ ଡେଲିଭରୀ ବୟ ସଚିନଙ୍କୁ ଚାକିରିରୁ ବାହାର କରିଦେଇଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ମନ୍ଦିର ଭଳି ଧାର୍ମିକ ସ୍ଥଳର ପବିତ୍ରତା ରକ୍ଷା କରିଥିବାରୁ ମନ୍ଦିର ପୂଜକ ସଚିନଙ୍କୁ ପୁରସ୍କୃତ କରିଥିଲେ ।  କେବଳ ଏତିକି ନୁହେଁ ସଚିନଙ୍କ ଚାକିରି ଚାଲିଯାଇଥିବାରୁ ମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ସେବକ ଭାବେ ଚାକିରି ମଧ୍ୟ ପ୍ରଦାନ କରିଥିଲେ ।