ପୁଣି ବିବାଦରେ ଛନ୍ଦି ହେଲେ ସ୍ୱାମୀ ନିତ୍ୟାନନ୍ଦ

ଅହମ୍ମଦାବାଦ : ପୁଣି ବିବାଦରେ ଛନ୍ଦି ହୋଇଛନ୍ତି ସ୍ୱାମୀ ନିତ୍ୟାନନ୍ଦ । ଦୁଇ ଯୁବତୀଙ୍କୁ ଜୋର୍‌ ଜବରଦସ୍ତ ତାଙ୍କ ଆଶ୍ରମରେ ରଖିଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଉଦ୍ଧାର ପାଇଁ ବେଙ୍ଗାଲୁରୁର ଏକ ପରିବାର ଗୁଜୁରାଟ ହାଇକୋର୍ଟରେ ଆବେଦନ କରିଛନ୍ତି । ଆଶ୍ରମ କର୍ତ୍ତୃପକ୍ଷ ସେମାନଙ୍କ ଦୁଇ ଝିଅଙ୍କୁ ଦେଖିବା ପାଇଁ ଅନୁମତି ଦେଉ ନ ଥିବା ସମ୍ପୃକ୍ତ ଦମ୍ପତି ଜନାର୍ଦ୍ଦନ ଶର୍ମା ଓ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ୨୦୧୩ରେ ଜନାର୍ଦ୍ଦନ ତାଙ୍କର ଚାରି ଝିଅଙ୍କୁ ସ୍ୱାମୀ ନିତ୍ୟାନନ୍ଦଙ୍କ ପରିଚାଳିତ ଶିକ୍ଷାନୁଷ୍ଠାନ ‘ନିତ୍ୟାନନ୍ଦ ଧ୍ୟାନପୀଠମ୍‌’ରେ ଅଧ୍ୟୟନ ପାଇଁ ଛାଡ଼ିଥିଲେ । ସେତେବେଳେ ତାଙ୍କ ଝିଅ ମାନଙ୍କୁ ୭ରୁ ୧୩ ବର୍ଷ ବୟସ ହୋଇଥିଲା । କିନ୍ତୁ କିଛି ଦିନ ପୂର୍ବରୁ ଜନାର୍ଦ୍ଦନ ଜାଣିବାକୁ ପାଇଲେ କି ତାଙ୍କ ଝିଅମାନଙ୍କୁ ଅନ୍ୟତ୍ର ଅବସ୍ଥିତ ନିତ୍ୟାନନ୍ଦ ଧ୍ୟାନପୀଠମ୍‌ର ଏକ ଶାଖା ‘ଯୋଗିନୀ ସର୍ବଜ୍ଞାପୀଠମ୍‌’କୁ ସ୍ଥାନାନ୍ତର କରଯାଇଛି । ଏନେଇ ଜନାର୍ଦ୍ଦନ ଝିଅମାନଙ୍କୁ ଭେଟିବା ପାଇଁ ସେହି  ବିଦ୍ୟାପୀଠକୁ ଯାଇଥିଲେ  ।

 

କିନ୍ତୁ ସେଠାରେ କର୍ତ୍ତୃପକ୍ଷ ସେମାନଙ୍କୁ ତାଙ୍କ ଝିଅ ମାନଙ୍କ ସହ ଭେଠିବା ପାଇଁ ଅନୁମତି ଦେଇ ନ ଥିଲେ । ଅଭିଯୋଗ ପରେ ପୋଲିସ ଓ ସ୍ଥାନୀୟ ଶିଶୁ ଅଧିକାର ସମିତି ସହାୟତାରେ ସେ ଦୁଇ ସାନ ଝିଅଙ୍କୁ ଭେଟିବା ସହ ଘରକୁ ଫେରାଇ ଆଣିବାରେ ସମର୍ଥ ହୋଇଥିଲେ; କିନ୍ତୁ ଦୁଇ ବଡ଼ ଝିଅ ଲୋପାମୁଦ୍ରା ଜନାର୍ଦ୍ଦନ ଶର୍ମା ଓ ନନ୍ଦିତା ଙ୍କୁ କର୍ତ୍ତୃପକ୍ଷ ଛାଡ଼ି ନ ଥିଲେ । ଏନେଇ ଜନାର୍ଦ୍ଦନ ପୁନର୍ବାର ପୁଲିସର ସହାୟତା ଲୋଡ଼ିଥିଲେ । ବିଦ୍ୟାପୀଠ କର୍ତ୍ତୃପକ୍ଷ ସେମାନଙ୍କ ଦୁଇ ଝିଅଙ୍କୁ ଅପହରଣ କରିନେବା ସହ ବଳପୂର୍ବକ ଲୁଚାଇ ରଖିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଏତଲା ରୁଜୁ କରିଥିଲେ ମଧ୍ୟ ଦୁଇ ଝିଅଙ୍କୁ ଉଦ୍ଧାର କରିପାରିନଥିଲା । ପରେ ବାଧ୍ୟହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜନାର୍ଦ୍ଦନ କହିଛନ୍ତି।

ସ୍ୱାମୀ ନିତ୍ୟାନନ୍ଦଙ୍କ ବିରୋଧରେ ୨୦୧୦ରେ ଗୁରୁତର ଯୌନ କେଳେଙ୍କାରୀର ଅଭିଯୋଗ ଆସିଥିଲା । ପ୍ରଖ୍ୟାତ ତାମିଲ ଅଭିନେତ୍ରୀ ରଞ୍ଜିତାଙ୍କ ସହିତ ସେ ନିଜ ଆଶ୍ରମରେ ଯୌନ କେଳେଙ୍କାରୀରେ ଲିପ୍ତ ଥିବାର ଭିଡିଓ ତାମିଲ ଗଣମାଧ୍ୟମରେ ପ୍ରକାଶିସ ହୋଇଥିଲା । ଖାଲି ସେତିକି ନୁହେଁ ଯୁବତୀ ଭକ୍ତମାନଙ୍କୁ ସେ ଆଶ୍ରମରେ ଉପଭୋଗ କରୁଥିବାର ଏକାଧିକ ଅଭିଯୋଗ ହୋଇଥିଲା। ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା । ୨୦୧୮ ଜୁନ୍‌ରେ କର୍ଣ୍ଣାଟକ ଅଦାଲତ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍‌ କରିଥିଲେ ।

Leave a Reply