ଅଜ୍ଞାତବାସରେ ବାବା ନିତ୍ୟାନନ୍ଦ । ଓ୍ୱେବସାଇଟ୍‌ରେ ଘୂରି ବୁଲୁଛି ନୂଆ ରାଷ୍ଟ୍ରର ନକ୍ସା

ସ୍ୱୟମ୍ଭୁ ବାବା ନିତ୍ୟାନନ୍ଦଙ୍କୁ ଗିରଫ କରିବାକୁ ଖୋଜୁଛି ପୋଲିସ । ସେପଟେ  ପୋଲିସ ଆଖିରେ ଧୂଳି ଦେଇ ବାବା ଦେଶରୁ ଚମ୍ପଟ ମାରିଛନ୍ତି । ପୋଲିସ ତାଙ୍କର ଟେର୍‌ ପାଉନଥିବା ବେଳେ ସେ ଦେଶ ବାହାରେ ଏକ ନୂଆ ହିନ୍ଦୁ ରାଷ୍ଟ୍ର ବନାଇ ସାରିଲେଣି । ସେହି ହିନ୍ଦୁ ରାଷ୍ଟ୍ରର ମୁଖିଆ ବି ବନିସାରିଲେଣି । ବାବା ନିତ୍ୟାନନ୍ଦଙ୍କ ନୂଆ ହିନ୍ଦୁ ରାଷ୍ଟ୍ରର ନାମ ‘କୈଳାସ’ ରହିଛି । ଏହି ରାଷ୍ଟ୍ର ସମ୍ପର୍କରେ ଏକ ଓ୍ୱେବସାଇଟ୍‌ରେ ସବିଶେଷ ବିବରଣୀ ରହିଛି ।

ନିତ୍ୟାନନ୍ଦଙ୍କ କଥିତ ହିନ୍ଦୁ ରାଷ୍ଟ୍ର ‘କୈଳାସ’ ବିଶ୍ୱର କେଉଁ ସ୍ଥାନରେ ସେ ସମ୍ପର୍କରେ କାହାକୁ କିଛି ଜଣାନାହିଁ । ମାତ୍ର ଇଣ୍ଟରନେଟ୍‌ରେ ଏହି ଦେଶ ସମ୍ପର୍କିତ ତଥ୍ୟ ରହିଛି । ଏହି ରାଷ୍ଟ୍ରର ଲକ୍ଷ୍ୟ ହିନ୍ଦୁ ଧର୍ମର ରକ୍ଷା ଓ ମାନବିକତା ପ୍ରତି ଲୋକଙ୍କୁ ଜାଗ୍ରତ କରାଇବା । ଓ୍ୱେବସାଇଟ୍‌ ତଥ୍ୟ ଅନୁଯାୟୀ ଦେଶର ଲୋକସଂଖ୍ୟା ପ୍ରାୟ ୧୦ କୋଟି । ଦେଶବାସୀଙ୍କ ଭାଷା ହେଉଛି ଇଂରାଜୀ, ସଂସ୍କୃତ ଓ ତାମିଲ । ଇଂରାଜୀକୁ ପ୍ରାଥମିକ ଭାଷା ଭାବେ ବର୍ଣ୍ଣନା କରାଯାଇଥିବା ବେଳେ ସଂସ୍କୃତ ଦ୍ୱିତୀୟ ଓ ତାମିଲକୁ ତୃତୀୟ ଭାଷା ମର୍ଯ୍ୟାଦା ଦିଆଯାଇଛି । ଜାତୀୟ ପତାକାର ନାମ ଋଷଭ ରଖାଯାଇଛି ।

ତିନିକୋଣିଆ ପତାକାରେ ଭଗବାନ ଶିବ ଓ ନନ୍ଦୀର ଫଟୋ ରହିଛି । ଓ୍ୱେବସାଇଟ୍‌ରେ ନନ୍ଦୀକୁ ଜାତୀୟ ପଶୁ ଓ ପଦ୍ମକୁ ଜାତୀୟ ଫୁଲ ଭାବେ ବର୍ଣ୍ଣନା କରାଯାଇଛି । ବଟବୃକ୍ଷକୁ ଜାତୀୟ ବୃକ୍ଷ ଭାବେ ଗ୍ରହଣ କରାଯାଇଛି । ସନାତନ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ କୈଳାସ ଦେଶର ପରିକଳ୍ପନା ଆମେରିକାରେ କରାଯାଇଥିବା ଓ୍ୱେବସାଇଟ୍‌ରେ ଦର୍ଶାଯାଇଛି ।

ନିତ୍ୟାନନ୍ଦଙ୍କ ଏହି ଦେଶ ଚଳାଇବାକୁ ଗୃହ, ପ୍ରତିରକ୍ଷା, ବାଣିଜ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବିଭାଗ ସମ୍ପର୍କରେ ସୂଚନା ଦିଆଯାଇଛି । ହିନ୍ଦୁ ଧର୍ମ ସହ ଜଡିତ ବହୁ ଦେବଦେବୀଙ୍କ ଫଟୋ ରହିଛି । ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ନେଇ ମଧ୍ୟ ସୂଚନା ରହିଛି ।

ଚର୍ଚ୍ଚିତ ଓ ନିନ୍ଦିତ ବାବା ନିତ୍ୟାନନ୍ଦଙ୍କ ବିରୋଧରେ ରହିଛି ଦୁଷ୍କର୍ମ ମାମଲା । କର୍ଣ୍ଣାଟକରେ ଦୁଷ୍କର୍ମ ଓ ଅପହରଣ ମାମଲା ରୁଜୁ ହୋଇଛି । ଗୁଜରାଟରେ ମଧ୍ୟ ତାଙ୍କ ନାମରେ ନିର୍ଯ଼ାତନା ମାମଲା ରହିଛି ।

ତାଙ୍କୁ ଗିରଫ ପାଇଁ ନଭେମ୍ବର ୨୨ରେ ଗୁଜରାଟ ପୋଲିସ ଅହମ୍ମଦାବାଦସ୍ଥିତ ତାଙ୍କ ଆଶ୍ରମରେ ଚଢ଼ାଉ କରିଥିଲା । ସେତେବେଳେ ବାବା ଆଶ୍ରମରୁ ଚମ୍ପଟ ମାରିଥିବା ଜଣାପଡ଼ିଥିଲା । ଚମ୍ପଟ ମାରିବା ଖବରକୁ ୧୦ ଦିନ ପରେ ଓ୍ୱେବସାଇଟ୍‌ରେ ବାବାଙ୍କ ନୂଆ ରାଷ୍ଟ୍ରର ନକ୍ସା ବୁଲୁଛି ।

– ବିନୋଦିନୀ ରାଉଳ

Leave a Reply